ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ ମାରିବା ପରେ ପୋଲିସର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ପୋଲିସର ଏଭଳି ବେପରୁଆ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, କୁଜଙ୍ଗ ଥାନା ଅଧୀନ ପାନପଲି ଗ୍ରାମରେ ଥିବା ଏକ ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି ଅଭିଯୋଗରେ ପୋଲିସ ଗଣ୍ଡକିପୁର ଗ୍ରାମ ମଠସାହିର ବଳରାମ ଭଟ୍ଟଙ୍କ ପୁଅ ବିକାଶଙ୍କୁ ବୁଧବାର ବିଳମ୍ବିତ ରାତିରୁ ଥାନାରେ ଅଟକ ରଖିଥିଲା। ମାତ୍ର ପୋଲିସର ଖାମଖିଆଲପଣ ଯୋଗୁ ଗୁରୁବାର ବିକାଶ ଥାନାରୁ ଖସି ପଳାଇଥିଲେ। ଏହାପରେ ଖୋଜାଖୋଜି କରିବା ପରେ ପୋଲିସ ତାଙ୍କୁ ଥାନାଠାରୁ ୧୦୦ମିଟର ଦୂର ବ୍ଲକ କଲୋନୀ ନିକଟରୁ ଧରିବାରେ ସକ୍ଷମ ହୋଇଥିଲା। ଏ ନେଇ ଗୁରୁବାର ମାମଲା ରୁଜୁ କରାଯାଇ ଥିଲେ ସୁଦ୍ଧା ଶୁକ୍ରବାର ଭୋରରୁ ବିକାଶ ପୁଣି ଥାନାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ତେବେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ତାଙ୍କୁ ଥାନାଠାରୁ ୧୫ କି.ମି. ଦୂର ଢିଙ୍କିଆଠରେ ଥିବ ଏକ ପାନ ବରଜରୁ କାବୁ କରିଥିଲା। ତେବେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ନେବା ପରେ ହାଜତ ଭିତରେ ନ ରଖି କେଉଁ କାରଣରୁ ବାହାରେ ଛାଡ଼ି ଦେଇଥିଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଅଭିଯୁକ୍ତ ୨ ଦିନରେ ଥାନାରୁ ଦୁଇ ଦୁଇ ଥର ଖସି ଯିବାରେ ସଫଳ ହୋଇଥିବା ବେଳେ ଏହା ପୋଲିସର ପାରିବା ପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବ୍ୟାଟେରୀ ଚୋରି ମାମଲାରେ ନଂ. ୭୦/୨୦ ଓ ଥାନାରୁ ଚମ୍ପଟ ମାରିବା ଅଭିଯୋଗରେ ୭୪/୨୦ ନଂ.ରେ ଦୁଇଟି ମାମଲା ରୁଜୁ ହୋଇଛି। ଅନ୍ୟପଟେ ବ୍ୟାଟେରି ଚୋରି ମାମଲାରେ ସମ୍ପୃକ୍ତ ଗୋପିଆକୁଦ ଗୋଠଡିଆ ଗ୍ରାମର ମଧୁସୂଦନ ପାଣିଙ୍କ ପୁଅ ବିକାଶଙ୍କୁ ପୋଲିସ ଗିରଫ କରିବା ସହ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଉଭୟଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦେବେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ, ବିକାଶଙ୍କୁ ଜଗିଥିବା ସେଣ୍ଟ୍ରି ପାଣି ପାଇଁ ଯାଇଥିବା ବେଳେ ସେ ଥାନାରୁ ଖସି ପଳାଇଥିଲେ ବୋଲି କହିଛନ୍ତି।

Share