ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ ଯୁବକ ଶୌଚାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ପୋଡ଼ାମାରି ଯାଦବସାହିର ଶିବ ପାତ୍ର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ଭର୍ତ୍ତି କରିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଯେ, ୧୨ ଡିସେମ୍ବର ୨୦୧୬ରେ ଶିବଙ୍କ ଭାଉଜ ସାବିତ୍ରୀଙ୍କ ମୃତଦେହ ତପ୍ତପାଣି ନାଳକଡ଼ ଏକ ଗଛ ମୂଳରୁ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶିବଙ୍କୁ ଏନେଇ ୨ ଥର ଥାନାକୁ ଆଣି ଜେରା କରିଥିଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି ସୁରାକ୍‌ ପାଇ ନଥିଲେ। ବର୍ତ୍ତମାନର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରି ଶିବଙ୍କୁ ଥାନାକୁ ପଚରାଉଚରା ପାଇଁ ଆଣିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଶିବ ଏକ ଗାମୁଛା ନେଇ ଥାନା ପରିସରରେ ଥିବା ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ଜଣେ କନ୍‌ଷ୍ଟେବଳ ଓ ହୋମଗାର୍ଡ ତାଙ୍କୁ ଜଗିଥିଲେ। ଶିବ ପାଇଖାନା ଭିତରକୁ ଯାଇ କାନ୍ଥରେ ମୁଣ୍ଡ ପିଟିବା ସହ ଝରକା ଗ୍ରୀଲ୍‌ରେ ଗାମୁଛା ବାନ୍ଧି ଓହଳି ପଡିଥିଲେ। ବହୁ ସମୟ ଧରି ପାଇଖାନାରୁ ନ ବାହାରିବାରୁ ପୋଲିସ କର୍ମଚାରୀ ଯାଇ ଶିବ ଗାମୁଛାରେ ରଶି ଲଗାଇ ଓହଳିଥିବା ଦେଖିଥିଲେ।
ସୂଚନାଯୋଗ୍ୟ ଯେ, ୧୨ ଡିସେମ୍ବର ୨୦୧୬ରେ ଶିବଙ୍କ ଭାଇ କ୍ରିଷ୍ଣା ଛେଳି ଚରାଇବାକୁ ବିଲମାଳକୁ ଯାଇଥିଲେ। ଭାଉଜ ସାବିତ୍ରୀ ସ୍ବାମୀ କ୍ରିଷ୍ଣାଙ୍କ ପାଇଁ ମଧ୍ୟାହ୍ନରେ ଖାଇବାକୁ ନେଇ ଯାଇଥିଲେ। ସନ୍ଧ୍ୟାରେ କ୍ରିଷ୍ଣା ଘରକୁ ଛେଳିଗୋଠ ଧରି ଫେରି ସ୍ତ୍ରୀ ଫେରି ନ ଥିବା ଜାଣିବାକୁ ପାଇଥିଲେ। ପରଦିନ ତାଙ୍କ ମୃତଦେହ ମିଳିଥିଲା। ସାବିତ୍ରୀଙ୍କ ଭାଇ ଡିଲେଶୁ ପାଟପୁର ଥାନାରେ ଏତଲା ଦେଇଥିଲେ। ନଂ.୨୦୭/୧୬ରେ ମାମଲା ରୁଜୁ କରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ନାଳ ନିକଟରୁ ତାଙ୍କ ମୋବାଇଲ ଓ ସୁନା କାନ ଫୁଲ ମିଳିଥିଲା। ସାବିତ୍ରୀଙ୍କ ପରିବାର ସଦସ୍ୟଙ୍କ ବୟାନକୁ ଭିତ୍ତିକରି ଶିବଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲେ ମଧ୍ୟ ତକତ୍ାଳୀନ ଆଇଆଇସି ଅଜୟ କୁମାର ବାରିକ କୌଣସି ସୁରାକ ପାଇ ନ ଥିଲେ।