ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି ପ୍ରମାଣ ନ ପାଇ ଶେଷରେ ସମ୍ପୃକ୍ତ ଅଟୋ ଚାଳକଙ୍କୁ ଛାଡି ଦେଇଛି। ସେ ହେଲେ ଜଗତ୍‌ସିଂପୁରର ଘନଶ୍ୟାମ ଦାସ(୪୬)। ସେ କଟକରେ ରହି ଅଟୋ ଚଳାନ୍ତି। ଘନଶ୍ୟାମ ନ୍ୟାୟ ପାଇଁ ଡିଜିପିଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକ କୁହନ୍ତି, ମୋ ନିକଟରେ ଏଭଳି କୌଣସି ଅଭିଯୋଗ ହୋଇନାହିଁ। ଘଟଣା ସମୟରେ ମୁଁ ଅନୁପସ୍ଥିତ ଥିଲି। କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟ କରାଯାଇଛି ତାହାର ତଦନ୍ତ ହେବ। ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଗତ ୨୭ ତାରିଖ ରାତି ୧୧ଟାରେ ଘନଶ୍ୟାମ ଏକ ଭଡ଼ା ନେଇ କଟକ ରେଳଷ୍ଟେଶନ ନିକଟରୁ ପଟିଆ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବାବେଳେ ରାତି ପ୍ରାୟ ୧ଟାରେ ନନ୍ଦନକାନନ ଥାନା ସମ୍ମୁଖରେ ଘନଶ୍ୟାମଙ୍କ ଅଟୋକୁ ପୋଲିସ ଅଟକାଇଥିଲା। କାଗଜପତ୍ର ଯାଞ୍ଚ କରିବା ବାହାନାରେ ଥାନା ଭିତରକୁ ଡାକିନେଇଥିଲା। ପରେ ଘନଶ୍ୟାମଙ୍କ ମୋବାଇଲ ଓ ଗାଡ଼ି ଚାବି ଛଡ଼ାଇ ନେବା ସହ ବସିବାକୁ କହିଥିଲା। ରାତି ଅଧିକ ହୋଇଯାଇଥିବାବେଳେ ଘରେ ବ୍ୟସ୍ତ ହେଉଥିବେ ବୋଲି ଘନଶ୍ୟାମ କହିଥିଲେ ମଧ୍ୟ ତାଙ୍କୁ ଛଡ଼ାଯାଇ ନ ଥିଲା। ଏପରି କି ଘରକୁ ଫୋନ କରିବାକୁ ଦେଇ ନ ଥିଲେ ଉପସ୍ଥିତ କେତେଜଣ ପୋଲିସ କର୍ମଚାରୀ। ଘନଶ୍ୟାମ ଜଣେ ବରିଷ୍ଠ ଆଇନଜୀବୀଙ୍କ ପରିଚିତ ବ୍ୟକ୍ତି ବୋଲି ପରିଚୟ ଦେବା ପରେ ପୋଲିସ କର୍ମଚାରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେମାନେ ତାଙ୍କୁ ଏଟିଏମ୍‌ ଲୁଟ୍‌ ସନ୍ଦେହରେ ପଚରାଉଚରା କରୁଥିଲେ ବୋଲି ଘନଶ୍ୟାମ କହିଛନ୍ତି। ଗତ ୨୮ ତାରିଖ ଅପରାହ୍ନ ୩ଟାରେ ତାଙ୍କୁ ଛାଡ଼ିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ପାଣି ପିଇବାକୁ ମଧ୍ୟ ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।

Share