ଥାନାରେ ବେଆଇନ ଅଟକ ରଖିବା ମାମଲାରେ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ: ୨ମାସ ମଧ୍ୟରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ୭ବର୍ଷ ତଳେ ଖଣ୍ଡଗିରି ଓ କନ୍ଦରପୁର ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅଟକ ରଖିବା ମାମଲାର ବିଚାରକରି ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଥିପାଇଁ ୨ମାସ ମଧ୍ୟରେ ପୀଡ଼ିତଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଗୃହବିଭାଗ ଓ ପୋଲିସ ଡିଜିଙ୍କୁ କମିଶନ ସଦସ୍ୟ ବିଚାରପତି ରଘୁବୀର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ସରକାର ଚାହିଁଲେ ଏହି କାରଣ ପାଇଁ ଯେଉଁ ପୋଲିସ ଅଧିକାରୀ ଦାୟୀ ସେମାନଙ୍କଠାରୁ କ୍ଷତିପୂରଣ ଅର୍ଥ ଆଦାୟ କରିପାରିବେ ବୋଲି କମିଶନ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୨ ଜୁଲାଇ ୨ତାରିଖ ଅପରାହ୍ନ ୨ଟାରେ ବଳରାମ ବେହେରା ଖଣ୍ଡଗିରିସ୍ଥିତ ତାଙ୍କ ଗ୍ୟାରେଜକୁ ଯାଇଥିଲେ। ରାତି ୯ଟାରେ ପରିବାର ଲୋକେ ତାଙ୍କ ପୁଅକୁ ଖଣ୍ଡଗିରି ପୋଲିସ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ସେମାନେ ଥାନାକୁ ଯାଇଥିଲେ ମଧ୍ୟ ତାଙ୍କୁ ଭେଟିିବାକୁ ସୁଯୋଗ ଦିଆଯାଇ ନ ଥିଲା ବୋଲି ସେ ଅଭିଯୋଗ କରିଥିଲେ। ୪ ତାରିଖରେ ତାଙ୍କୁ ପୋଲିସ ଶହୀଦନଗର ଥାନାକୁ ନେଇଥିଲା। ଥାନାରେ ମଧ୍ୟ ତାଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇ ନ ଥିଲା। ଖଣ୍ଡଗିରି ଥାନାରେ ଅଟକ ସମୟରେ ବଳରାମଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ୨୦୧୨ ଜୁଲାଇ ୨୩ରେ ଭୁବନେଶ୍ୱର ଡିସିପି କମିଶନଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରି ବଳରାମଙ୍କୁ କନ୍ଦରପୁର ଡକାୟତି ଯୋଜନା ମାମଲାରେ ଗିରଫ କରିଥିଲା ବୋଲି ଦର୍ଶାଇଥିଲେ। ଏହାପରେ ବଳରାମଙ୍କ ପକ୍ଷରୁ କମିଶନଙ୍କଠାରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ୬ଜଣ କନଷ୍ଟେବଳ ଓ ଅନ୍ୟ ଦୁଇଜଣ ସାଦାପୋଷାକଧାରୀ ତାଙ୍କୁ ଓ ତାଙ୍କ ଗ୍ରାହକ ଧରମାଙ୍କୁ ଖଣ୍ଡଗିରି ଥାନାକୁ ନେଇଯାଇଥିଲେ। ପରଦିନ ଶହୀଦନଗର ଥାନାରେ ଘଣ୍ଟାଏ ରଖି କନ୍ଦରପୁର ନେଇଥିଲେ। ଜୁଲାଇ ୬ ପର୍ଯ୍ୟନ୍ତ କନ୍ଦରପୁର ଥାନାରେ ତାଙ୍କୁ ଅଟକ ରଖିବା ପରେ କଟକ ସଦର ଏସ୍‌ଡିଜେମ୍‌ କୋର୍ଟରେ ହାଜର କରିଥିଲେ। ସେ ସମୟରେ ଖଣ୍ଡଗିରି ଥାନା ଅଧିକାରୀ ଦାୟିତ୍ୱରେ ତପନ କୁମାର ମହାନ୍ତି ଓ କନ୍ଦରପୁର ଥାନା ଅଧିକାରୀ ରଞ୍ଜିତ ନାୟକ ଥିଲେ।

Share