ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ବଦଳି ଦାବି କରିଛି। ଆନ୍ଦୋଳନ ତୃତୀୟ ଦିନରେ ଓକିଲ ସଂଘ ପକ୍ଷରୁ ଗୁରୁବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହରରେ ବନ୍ଦ ପାଳନ କରାଯାଇଥିଲା। ଆଇବି ଛକ, ବ୍ଲକ ସମ୍ମୁଖ, ବନଦେବୀ ସମ୍ମୁଖ ଓ ପେଟ୍ରୋଲ ପମ୍ପଠାରେ ଆସିକା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ବନ୍ଦକୁ ସହରବାସୀ ସମର୍ଥନ କରିଛନ୍ତି। ବିଭିନ୍ନ ସ୍କୁଲ, କଲେଜ, ତହସିଲ, ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ସମେତ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ଆଇଆଇସି ପତି ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ଆଇନଜୀବୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଇଆଇସିଙ୍କ ବ୍ୟବହାର ସୀମା ଅତିକ୍ରମ କରିଛି। ତେଣୁ ତାଙ୍କୁ ତୁରନ୍ତ ବଦଳି କରିବା ଆବଶ୍ୟକ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ ଡିଜି, ଡିଆଇଜିଙ୍କୁ ଜଣାଇବା ପରେ ଥାନା ଘେରାଉ କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଓକିଲ ସଂଘ କହିଛି।

Share