ଥାନା ହାଜତରେ ଛେଳି

ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍‌ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ ଭାଇରାଲ ହୋଇଛି। ଖବର ନେବାରେ ଜଣାପଡ଼ିଛି, ନିଆଳି ଥାନା ଅଧୀନ ନୂଆ ବାବ୍‌ଜା ଗଁାର ସୁଲୋଚନା ବିଶ୍ୱାଳଙ୍କ ଗୁହାଳରୁ ଏକ ଛେଳି ଚୋରି ହୋଇଯିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଅନୁସନ୍ଧାନ ଚଳାଇଥିଲା। ଇତିମଧ୍ୟରେ ଚୋରି କରିଥିବା ଅଭିଯୁକ୍ତ ଛେଳିକୁ ଅଖାରେ ଧରି ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରେ ବେପାରୀଙ୍କୁ ବିକ୍ରି କରିବା ଲାଗି ବୁଲୁଥିଲେ। ଯୁବକଙ୍କ ହାବ ଭାବ ଦେଖି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ପଚରା ଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହ ଛେଳିକୁ ଜବତ କରି ହାଜତରେ ରଖିଥିଲା। ଗୁରୁବାର କମିଶନରେଟ୍‌ ପୋଲିସ ଅଭିଯୁକ୍ତଙ୍କୁ ନିଆଳି ଥାନା ଜିମା ଦେଇଥିଲା। ହେଲେ ହାଜତରେ ଥିବା ଛେଳି କେଉଁଆଡେ ଗଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଆଇଆଇସି ଜୟଦ୍ୱୀପ ବିଶ୍ୱଜିତଙ୍କୁ ପଚାରିବାରେ ନିଆଳି ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତି ଛେଳି ଆଣି ବିକ୍ରି କରିବାକୁ ଉଦ୍ୟମ କରୁଥିବା ସତ। ଆମେ ସେ ଥାନାକୁ ଛେଳି ଓ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରି ଦେଇଛୁ। ହେଲେ ଆମେ ହାଜତରେ ଛେଳି ରଖିବା ଘଟଣା ମିଥ୍ୟା।

Share