ଥୋଡ ଧାନ ଉପରେ କୁଆପଥର ମାଡ଼

ସୋନପୁର,୨୭।୪(ନି.ପ୍ର.) ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା, କୁଆ ପଥର ମାଡ ଓ ଘୂର୍ଣ୍ଣିଝଡ ଯୋଗୁଁ ସୁବର୍ଣ୍ଣପୁର ଜିଲାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଧାନ ଓ ପନିପରିବା ଚାଷ କରିଥିବା ଚାଷୀଙ୍କୁ ଗତ ତିନି ଦିନର କାଳ ବୈଶାଖୀ, ବର୍ଷା ନାହିଁ ନଥିବା ଅସୁବିଧାରେ ପକାଇଛି। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରୋନା ପାଇଁ କୃଷିକ୍ଷେତ୍ର ପ୍ରଭାବିତ ହୋଇଥିଲା। ଅମଳ ହେଉଥିବା ପନିପରିବା ବଜାର ପର୍ଯ୍ୟନ୍ତ ଯାଇ ନପାରି ପଚି ସଢି ନଷ୍ଟ ହେଉଛି। ଏପରି ସମୟରେ କ୍ଷେତରେ ଫସଲ ନଷ୍ଟ ହେଲା। ଅଣ୍ଟାସଳଖି ଠିଆ ହେବା ପାଇଁ ଚାଷୀଙ୍କ ପାଖରେ ଆଉ ସମ୍ବଳ ନାହିଁ। ଚାଷୀମାନେ ଲୋକଙ୍କଠାରୁ ଉଧାର ଆଣି ଚାଷ କରିଥିଲେ। ସେଗୁଡିକ ନଷ୍ଟ ହୋଇ ଥିବାରୁ ସେମାନେ ଭାଙ୍ଗି ପଡିଥିବା କହିଛନ୍ତି ସୋନପୁର ବ୍ଲକ କୁଷ୍ଟାପାଲିର ଚାଷୀ ମଦନ ମୋହନ ଦାନୀ। ଅନ୍ୟପକ୍ଷେ ଜିଲାର ବିଭିନ୍ନ ଅଞ୍ଚଳରେ ଘର, ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଭାଙ୍ଗିଛି। ଜିଲାର ୩୫ହଜାର ୯୭୭ହେକ୍ଟର ଜମିରେ ଚଳିତ ବର୍ଷ ରବି ଧାନ ଚାଷ ହୋଇଥିଲା। ଗର୍ଭଣା ଅବସ୍ଥାରେ ଥିବା ଧାନକେଣ୍ଡାରେ କୁଆ ପଥର ମାଡ ହୋଇଛି। ତେଣୁ ଧାନ ସବୁ ଅଗାଡି ହୋଇଯିବ। ବିକ୍ରି ସମୟରେ ଚାଷୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ସେହିପରି ଜୋର ପବନ ଯୋଗୁଁ ଧାନ ଗଛଗୁଡିକ କ୍ଷେତରେ ପଡି ଯାଇଛି। ବର୍ଷା ଜଳରେ ସେଗୁଡିକ ଭିଜି ହୋଇ ରହିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶୁକ୍ରବାର ୧୫୦୦ହେକ୍ଟର ଓ ଶନିବାର ୧୦୬୭ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ଜେନା କହିଛନ୍ତି। ସେହିପରି ଚିନାବାଦାମ, ମୁଗ ଓ ବିରି ଭଳି ଶତାଧିକ ହେକ୍ଟର ଅଣଧାନ ଫସଲ ଅମଳ ସମୟରେ ନଷ୍ଟ ହୋଇଛି। ଅନ୍ୟପକ୍ଷେ କଦଳୀ, ଅମୃତ ଭଣ୍ଡା, ଆମ୍ବ, ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ, କଲରା, ଜହ୍ନି ଆଦି ପନିପରିବା ନଷ୍ଟ ହୋଇଛି। କଦଳୀ ଓ ଅମୃତଭଣ୍ଡା ଗଛଗୁଡିକ ଭାଙ୍ଗି ଯାଇଛି । ଆମ୍ବ ପବନରେ ଝଡି ତଳେ ପଡିଛି । ଜିଲାର ବୀରମହାରାଜପୁର, ଉଲୁଣ୍ଡା, ସୋନପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ୨୨୦ହେକ୍ଟର ପନିବରିବା ଚାଷ ନଷ୍ଟ ହୋଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ କରାଯାଇଛି। ତେବେ ଚାଷୀଙ୍କ ଅଭିଯୋଗ ପରେ କୃଷି ଓ ରାଜସ୍ବ ବିଭାଗର ମିଳିତ ସର୍ଭେ ହେବ। ମିଳିତ ଆକଳନ ପରେ ଫସଲକ୍ଷତି ପରିମାଣ ଆହୁରି ବଢିବ ବୋଲି ଜଣାପଡିଛି। ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାର ଚାଷୀମାନେ ଦାବି କରିଛନ୍ତି ।

Share