ଦଇବ ସାଧିଲା ଦାଉ: ମା’ଙ୍କୁ ହରାଇ ଦୁଇ ଝିଅ ଅନାଥ; ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ପାଟଣା, ୧୦।୧୧(ସ୍ବ.ପ୍ର.)-ଦଇବ ସାଧିଛି ଦାଉ। ପ୍ରଥମେ ବାପା ଆରପାରିକୁ ଚାଲିଯାଇଥିବାବେଳେ ଶୁକ୍ରବାର ମା’ଙ୍କ ଅକାଳ ମୃତ୍ୟୁ ଘଟିଛି । ଫଳରେ ଦୁଇ ନିଷ୍ପାପ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି ା ସେହି ପିଲାଦ୍ୱୟଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ା
ସମ୍ପୂର୍ଣ୍ଣ ଘଟଣାଟି ଏମିତି.. ା କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ମଲ୍ଲୀ ମୁଣ୍ଡାଙ୍କ ମୃତଦେହକୁ ଶୁକ୍ରବାର ସରାସକୋଲା ପଞ୍ଚାୟତ ଝିଞ୍ଜିରିନାଳୀ ଗ୍ରାମ ପୋଖରୀରୁ ଉଦ୍ଧାର କରାଯାଇଥିଲା ା ମଲ୍ଲୀଙ୍କ ଦୁଇ ଝିଅ ସରସ୍ବତୀ (୧୨) ଓ ବୈଶାଖୀ (୮) ମା’ଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ା ଆଜିକୁ ୫ରୁ୬ବର୍ଷ ତଳେ ସେମାନଙ୍କ ବାପା ବୃନ୍ଦା ମୁଣ୍ଡାଙ୍କ ଦେହାନ୍ତ ହୋଇଥିଲା ା ଏହାପରେ ମଲ୍ଲୀ ଦିନମଜୁରିଆ ଭାବେ କାମକରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ହେଲେ ମଲ୍ଲୀଙ୍କ ଦେହାନ୍ତ ପରେ ସରସ୍ବତୀ ଓ ବୈଶାଖୀ କ’ଣ କରିବେ ଚିନ୍ତା କରି ପାରିନାହାନ୍ତି ା ଏହି ଦୁଇ ଝିଅ ଏବେ ସାହି ପଡିଶାଙ୍କ ଘରେ ରହିବା ସହ ସେମାନଙ୍କ ହାତଟେକା ସହାୟତାରେ ଚଳୁଛନ୍ତି। ସରସ୍ବତୀ ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ବୈଶାଖୀ ସାଧୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ମା’ ମଲ୍ଲୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ପାଠ ପଢା ଆଉ ପ୍ରତିପୋଷଣ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି। ଏହି ୨ ଅନାଥ ଝିଅଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ପାରି ନାହିଁ ା କୌଣସି ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ତାଙ୍କୁ ସମବେଦନା ବି ଜଣାଇନାହାନ୍ତି ା ଏଥିନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ପିଲା ଦୁହିଁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ । ସେମାନଙ୍କ ପାଠ ପଢାର ସୁବିଧା ପାଇଁ କୌଣସି ଏକ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଇ ଦୁଇ ନିଷ୍ପାପ ଶିଶୁଙ୍କ ଥଇଥାନ ଓ ଭବିଷ୍ୟତ ନେଇ ଜିଲା ପ୍ରଶାସନ ଓ ଶିଶୁ ସୁରକ୍ଷା ସମିତି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏହି ଦୁଇ ନାବାଳିକାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି।