ଦକ୍ଷତା, ନିଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା: ଏଆଇ ଉତ୍କର୍ଷ କେନ୍ଦ୍ର, ବିପିଓ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ଥାନୀୟ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଫର୍‌ ଏକ୍ସିଲେନ୍ସ)କୁ ଉଦ୍‌ଘାଟନ କରିଛନ୍ତି। ଟେକ୍‌ ମହିନ୍ଦ୍ରା ଲିମିଟେଡ ସହଯୋଗରେ ସିଇଟି ପକ୍ଷରୁ ସେଣ୍ଟର ଫର ଏକ୍ସିଲେନ୍ସ ମାଧ୍ୟମରେ ଯୁବତୀଯୁବକଙ୍କୁ ଏଆଇ ବିଷୟରେ ତାଲିମ ଦିଆଯିବ। ଏହା ଓଡ଼ିଶାକୁ ଦେଶର ତୃତୀୟ ବୃହତ୍‌ ପୁଞ୍ଜି ନିବେଶକାରୀ ରାଜ୍ୟ ଭାବେ ପରିଗଣିତ କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଉତ୍ତମ ବିକଳ୍ପ ଉଦ୍‌ଭାବନ କରିବା ପାଇଁ ଏହା ବର୍ତ୍ତମାନର ଯୁବପିଢିଙ୍କୁ ଏକ ସୁଯୋଗ ଦେବା ସହ ପରବର୍ତ୍ତୀ ପିଢିଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। ସିଇଟି ଏବଂ ଟେକ୍‌ ମହିନ୍ଦ୍ରା ମଧ୍ୟରେ ହୋଇଥିବା ବୁଝାମଣା(ଏମଓୟୁ) ସ୍ବରୂପ ସେଣ୍ଟର ଅଫ ଏକ୍ସିଲେନ୍ସ ରାଜ୍ୟର ଯୁବବର୍ଗଙ୍କୁ ନୂତନ ଜ୍ଞାନକୌଶଳ ହାସଲ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଦୈନନ୍ଦିନ ଜୀବନରେ ଏଆଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ରାଜ୍ୟର ଅର୍ଥନୀତି ଓ ଲୋକମାନଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅଡିଟୋରିୟମ ଏବଂ ସେଣ୍ଟ୍ରାଲ ଲାଇବ୍ରେରିର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ସ୍ଥାନୀୟ ଫର୍ଚୁନ ଟାଓ୍ବାରଠାରେ ମୁଖ୍ୟମନ୍ତ୍ରୀ ଟେକ୍‌ ମହିନ୍ଦ୍ରାର ଇଣ୍ଟରନ୍ୟାଶନାଲ ବିପିଓ ସେଣ୍ଟରର ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱରରେ ଟେକ୍‌ ମହିନ୍ଦ୍ରାର ପୂର୍ବରୁ ଏହାର ସେଣ୍ଟର ଖୋଲି ସାରିଛି। ନୂଆ ସୁବିଧା ଦେବାକୁ ବିପିଓ ସେଣ୍ଟର ସ୍ଥାପନ କରାଯାଇଛି ବୋଲି ଟେକ୍‌ ମହିନ୍ଦ୍ରା ସିଇଓ ସି.ପି. ଗୁର୍‌ନାନୀ କହିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ଆମ ପାଇଁ ଐତିହାସିକ ଦିବସ ବୋଲି ସେ କହିଛନ୍ତି।

Share