ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୬୨ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୧୫ ଏନ୍‌ଜିଓଠାରୁ ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର ରୁଧିତାପ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜମେଣ୍ଟ(ଆର୍‌ଆଇଟିଏମ)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଜଗସିଂପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଗୋଇ ଗ୍ରାମର ସୁଧୀର ସାହୁ। ତାଙ୍କୁ ଭୁବନେଶ୍ୱରର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ପଚରାଉଚରା ପରେ ସୁଧୀର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଜଣାପଡ଼ିବା ପରେ ଇଓଡବ୍ଲ୍ୟୁ ପକ୍ଷରୁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।
ସୂଚନା ମୁତାବକ, ଅଭିଯୁକ୍ତ ସୁଧୀର ଠକେଇ ପାଇଁ ସ୍ବାସ୍ଥ୍ୟ, ପରିମଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରୁଥିବା ଏନ୍‌ଜିଓଗୁଡିକୁ ଟାର୍ଗେଟ କରିଥିଲେ। ରସୁଲଗଡ ଥାନା ଅନ୍ତର୍ଗତ ପଳାଶୁଣୀ ସପ୍ତସତୀ ବିହାରରେ ଏକ ଭଡ଼ା ଘରେ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଅଫିସ ଖୋଲିଥିଲେ। ଭାରତ ସରାକରଙ୍କ ଅଧୀନରେ ପରିଚାଳିତ ନ୍ୟାଶନ୍ୟାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇନଫରମେଶନ ଟେକ୍ନୋଲୋଜି, ଖଦି ଭିଲେଜ ଇଣ୍ଡଷ୍ଟ୍ରିଜ୍‌ କମିଶନଙ୍କଠାରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ଫ୍ରାଞ୍ଚାଇଜ୍‌ ଆଣିଥିବା ଜାଲ୍‌ କାଗଜପତ୍ର ଦେଖାଇ ବିଭିନ୍ନ ଏନ୍‌ଜିଓ ସଂସ୍ଥାଠାରୁ ଟଙ୍କା ଆଦାୟ କରିଥିଲେ। ପ୍ରଶିକ୍ଷଣ ଦେବାକୁ ହେଲେ ପ୍ରଥମେ ପ୍ରଶିକ୍ଷକଙ୍କ ଦରମା ବାବଦରେ ପ୍ରତି ପିଲାଙ୍କ ମୁଣ୍ଡ ପିଛା ପ୍ରଶିକ୍ଷଣ ଦେୟ ଜମା କରିବାକୁ ପଡିବ ଓ ପ୍ରଶିକ୍ଷଣ ସରିବା ପରେ ଏନ୍‌ଜିଓ ସଂସ୍ଥାମାନେ ଜମା ଦେଇଥିବା ଅର୍ଥର ୬ ଗୁଣ ଫେରିପାଇବେ ବୋଲି କାଗଜପତ୍ରରେ ଚୁକ୍ତି କରିଥିଲେ। ନୟାଗଡ ଜିଲାରେ ଥିବା ହରିଜନ ଆଦିବାସୀ ମହିଳା ସମିତି ଏନଜିଓର ସମ୍ପାଦକ ବିଜୟ କୁମାର ମହାପାତ୍ର ପ୍ରଥମେ ଟଙ୍କା ଜମା କରିଥିଲେ। ଉକ୍ତ ଏନ୍‌ଜିଓ ସମେତ ୧୫ରୁ ଊର୍ଦ୍ଧ୍ୱ ସଂସ୍ଥା ବହୁ କୋଟି ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶିକ୍ଷଣ ଦିଆଯାଇ ନ ଥିଲା। ଅଭିଯୁକ୍ତ ସୁଧୀର ପଳାଶୁଣିସ୍ଥିତ କାର୍ଯ୍ୟାଳୟ ବନ୍ଦ କରି ଆଉ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ବିଜୟଙ୍କ ସହ ଅନ୍ୟ ଏନ୍‌ଜିଓ ସଂସ୍ଥା ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା କି ଅଭିଯୋଗକାରୀଙ୍କୁ କୌଣସି ସହଯୋଗ କରି ନ ଥିଲା। ଶେଷରେ ଜମାକାରୀମାନେ ଗତ ଏପ୍ରିଲ ୨୫ରେ ଏକାଠି ହୋଇ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

Share