ଭାପୁର,୮।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ନିକଟ କୋଇଲିପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ପରିସରରେ ରବିବାର ୯୦ ତମ ଦେବେନ୍ଦ୍ର ଶତପଥୀ ଜୟନ୍ତୀ ସମାରୋହ ଓ କଲେଜର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ପୂର୍ବତନ ଏମ୍ପି ତଥାଗତ ସତପଥୀ ଯୋଗଦେଇ କହିଲେ, ଛାତ୍ରୀଛାତ୍ରମାନେ ନିଜ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ। ନିଯୁକ୍ତି ଅନ୍ବେଷଣ ନ କରି ନିଜେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅନ୍ୟମାନଙ୍କୁ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ କଲେଜରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଚରିତା ଦାସ, ବିଜ୍ଞାନରେ ବିଶେଶ୍ୱର ସାମଲ ଓ ଯୁକ୍ତ ୩ର ପୁଷ୍ପଲତା ପଣ୍ଡାଙ୍କୁ ନନ୍ଦିନୀ ଦେବୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇ ମାନପତ୍ର ସହ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଯୁକ୍ତ ୩ ବିଭାଗ ଅଧ୍ୟକ୍ଷା ମଞ୍ଜୁଶ୍ରୀ ମୁଖି ବିବରଣୀ ପାଠ କରିଥିଲେ। ଯୁକ୍ତ ୨ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଛଦେଶ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ, ଛାତ୍ରୀଛାତ୍ର ଯୋଗ ଦେଇଥିଲେ।