ରବିବାର କାଳୀ ପୂଜା। ମା’ଶ୍ୟାମାକାଳୀଙ୍କ ଆଗମନକୁ ନେଇ ପୀଠ ଓ ମଣ୍ଡପଗୁଡ଼ିକ ବେଶ୍ ଚଳଚଞ୍ଚଳ। ତେବେ କଟକର ପ୍ରସିଦ୍ଧ କାଳିଆବୁଦା ମଶାଣି କାଳୀଙ୍କ ଉପରେ ଏହି ସ୍ବତନ୍ତ୍ର ଉପସ୍ଥାପନା…
କଟକର ମହାନଦୀ କୂଳରେ ରହିଛି କାଳିଆବୁଦା ମଶାଣି। ସେଠାରେ ଶ୍ୟାମାକାଳୀ ଓ ଦକ୍ଷିଣକାଳୀ ପୂଜା ପାଉଛନ୍ତି। ପ୍ରଥମେ ଏକ ବରଗଛ ମୂଳେ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗୋଟିଏ ସ୍ଥାନରେ ଦୁଇଟି ମନ୍ଦିର ସ୍ଥାପନ କରାଯାଇ ଉଭୟ ଶ୍ୟାମାକାଳୀ ଓ ଦକ୍ଷିଣକାଳୀଙ୍କୁ ପୂଜା କରାଯାଉଛି। ଶ୍ୟାମାକାଳୀ ପରମ ବୈଷ୍ଣବୀ ମନ୍ଦିରରେ ପୂଜା ପାଉଥିବାବେଳେ ଦକ୍ଷିଣକାଳୀ ତାନ୍ତ୍ରିକ ମନ୍ଦିରରେ ପୂଜା ପାଆନ୍ତି। ଏଠାରେ ମା’ ପ୍ରତ୍ୟକ୍ଷ ଭାବେ ରହିଥିବା କିମ୍ବଦନ୍ତୀ ରହିଛି। ଅମାବାସ୍ୟା ଦିନ ମା’ଙ୍କ ପାଖରେ ଚଣ୍ଡୀପାଠ ହୋଇଥାଏ। ଅମାବାସ୍ୟା ମଧ୍ୟରାତ୍ରିରେ ଶ୍ୟାମାକାଳୀଙ୍କ ପାଖରେ ପାଣିକଖାରୁ ବଳି ଦିଆଯାଉଥିବାବେଳେ ଦକ୍ଷିଣକାଳୀଙ୍କ ପାଖରେ ପୋହଳା ମାଛ ଭୋଗ କରାଯାଏ। କାଳୀପୂଜା ଦିନ ଭୋର ସାଢେ ୩ଟାରେ ମା’ଙ୍କର ମନ୍ଦିର ଖୋଲାଯାଇଥାଏ। ଏହିଦିନ ପୋଡ଼ାମାଛ, ପୋଡ଼ପିଠା, ଚକୁଳିପିଠା ଭୋଗ ଲାଗିଥାଏ। ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୮ ଦୀପ ପ୍ରଜ୍ୱଳନ ହୋଇଥାଏ। ମା’ଙ୍କ ପାଖରେ ପଣା ଲାଗିଥାଏ। ପଣା ଲଗାଉଥିବା ପୂଜକ ପଛକୁ ଫେରି ନ ଚାହିଁବାର ବିଧି ରହିଛି।