ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଲା ଉତ୍ତରକୋରିଆ

ସିଓଲ,୯।୬: ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ଲାଗି ଉତ୍ତରକୋରିଆର ମଙ୍ଗଳବାର ନିଷ୍ପତ୍ତି ନେଇଛି। ଉତ୍ତରକୋରିଆ ବିରୋଧରେ ହେଉଥିବା ଅପପ୍ରଚାର ରୋକିବାରେ ଦକ୍ଷିଣକୋରିଆ ଅସମର୍ଥ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଦକ୍ଷିଣକୋରିଆ ଶତ୍ରୁ ରାଷ୍ଟ୍ର ବୋଲି ଉତ୍ତରକୋରିଆ କହିଛି। ଏସମ୍ପର୍କରେ ଜଣାପଡ଼ିବା ପରେ ଦକ୍ଷିଣକୋରିଆର ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଉତ୍ତରକୋରିଆ ସହିତ ଯୋଗାଯୋଗ କରିବା ଉଦ୍ୟମ ହୋଇଥିଲା। ତେବେ କେହି ଫୋନ୍‌ ରିସିଭ୍‌ କରି ନ ଥିବା ଦକ୍ଷିଣକୋରିଆ କହିଛି। ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୮ରେ ଦୁଇଦେଶ ମଧ୍ୟରେ କମ୍ୟୁନିକେଶନ ଲାଇନ୍‌ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜୋ ଇନ୍‌ଙ୍କର ୩ ଥର ବୈଠକ ହୋଇଛି। ୨୦୧୯ ଫେବୃୟାରୀ ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କ ଭଲ ଥିଲା। ତେବେ ଉତ୍ତରକୋରିଆ ଏବଂ ଆମେରିକାର ଆଲୋଚନା ବିଫଳ ହେବାପରେ ସମ୍ପର୍କ ଧୀରେଧୀରେ ଖରାପ ହୋଇଥିଲା।

Share