Categories: ଜାତୀୟ

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ ଅସମ୍ଭାଳ ହୋଇପଡ଼ିବା ସହ ୬୬ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ଗୁଜରାଟରେ ୨୫ ଓ ମହାରାଷ୍ଟ୍ରରେ ୧୯ ଜଣ ପ୍ରାଣ ହରାଇଥିବା ପ୍ରକାଶ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କେରଳରେ ୧.୨୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଓ୍ବାୟନାଡ଼ ଓ କୋଝିକୋଡ଼ ବିଶେଷ ଭାବେ ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁ ଏଠାକାର ଲୋକେ ବହୁ ଅସୁବିଧା ଭୋଗ କରିଥିବା ପ୍ରକାଶ। ରାଜ୍ୟର ୮ ଜିଲାରେ ବର୍ଷା ଲାଗି ରେଡ୍‌ ଆଲର୍ଟ ଜାରି କରାଯାଇଛି। କୋଚି ବିମାନବନ୍ଦର ପ୍ରଭାବିତ ହୋଇଥିବାବେଳେ ଅନେକ ଟ୍ରେନ ବାତିଲ କରାଯାଇଛି।
ବେଲାଗାଭି, ବାଗଲକୋଟ, ବିଜୟାପୁର, ରାଇଚୁର, ହୁବଲ୍ଲି-ଧରଓ୍ବାଡ଼୍‌, ଦକ୍ଷିଣ କନ୍ନଡ଼, କୋଡ଼ାଗୁ, ୟାଦ୍‌ଗିର୍‌,ଗଡ଼ାଗ୍‌, ହାଭେରି ଆଦି ଜିଲାଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ପ୍ରପୀଡ଼ିତଙ୍କୁ ଆଶ୍ୱାସନା ଦେବା ସହ ସରକାର ରିଲିଫ୍‌କୁ ସର୍ବାଧିକ ଗୁରୁତ୍ୱ ଦେଇଥିବା ପ୍ରକାଶ କରିଛନ୍ତି। କୋହ୍ଲାପୁର, ସାଙ୍ଗଲି ଜିଲାରେ ବନ୍ୟା ପରିସ୍ଥିତି ଗୁରୁଗମ୍ଭୀର ରୂପ ଧାରଣ କରିଛି। ୨୬ ନୌସେନା ଟିମ୍‌, ୨୬ ବୋଟ୍‌ ସହ ୧୧୦ ଉଦ୍ଧାରକାରୀଙ୍କୁ ଏଠାରେ ମୁତୟନ କରାଯାଇଛି। ନୌସେନାର ଅତିରିକ୍ତ ୧୫ ଟିମ୍‌ ବିଶାଖାପାଟଣାରୁ ଶନିବାର କୋହ୍ଲାପୁର ପଠାଯାଇଥିବା ଜଣାପଡ଼ିଛି।

Share