ଦକ୍ଷିଣା ଟଙ୍କାକୁ ନେଇ ସେବକଙ୍କ ସହ ଗଣ୍ଡଗୋଳ: ସିଂହଦ୍ୱାର ଆଗରେ ଶଙ୍ଖା ଭାଙ୍ଗିଲେ ମହିଳା

ପୁରୀ ଅଫିସ,୧୫।୩: ଶ୍ରୀମନ୍ଦିରରେ ଦାନ, ଦକ୍ଷିଣା ଆଦାୟ ଉପରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ କୌଣସି ପ୍ରକାର ଜୁଲମ୍‌ କରାଯାଇ ପାରିବ ନାହିଁ। ଥାଳି ପକାଇ କେହି ଦକ୍ଷିଣା ଆଦାୟ କରିପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି କଟକଣା ପରେ ଯଦିଓ ଦାନ, ଦକ୍ଷିଣା ଆଦାୟକୁ ନେଇ ପୂର୍ବଭଳି ଅଭିଯୋଗ ଜଣାପଡୁନାହିଁ କିନ୍ତୁ ଏବେ ବି ବିଭିନ୍ନ ସ୍ଥାନରେ ଥାଳି ରଖାଯାଇଛି। ଏଥିରେ ବି ଭକ୍ତମାନେ ଦକ୍ଷିଣା ପକାଉଛନ୍ତି। ଏହି ଦକ୍ଷିଣା ଅର୍ଥକୁ ନେଇ ଶନିବାର ସିଂହଦ୍ୱାର ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ସେବକ ଏବଂ ଜଣେ ମହିଳାଙ୍କ ମଧ୍ୟରେ କଥା କଟାକଟି ଓ ଗଣ୍ଡଗୋଳ ହୋଇଛି। ଏପରି କି ମହିଳା ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ତାଙ୍କ ହାତରୁ ଶଙ୍ଖା ଖୋଲି ସିଂହଦ୍ୱାର ସମ୍ମୁଖରେ ଫୋପାଡ଼ି ଭାଙ୍ଗି ଦେଇଥିଲେ।

ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ କଡ଼ରେ ଥାଳି ରଖାଯାଉଛି। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଛୁଇଁ ଦର୍ଶନ କରିବା ସହ ଥାଳିରେ ଦକ୍ଷିଣା ପକାଇଥାନ୍ତି। ଏହାପରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଶନିବାର ସକାଳେ ଜଣେ ମହିଳା ଭକ୍ତ ଅରୁଣ ସ୍ତମ୍ଭ ନିକଟରେ ଥିବା ଦକ୍ଷିଣା ଥାଳିରୁ ପଇସା ଚୋରି କରୁଥିବା ଅଭିଯୋଗ କରି ଜଣେ ସେବକ ତାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କ ହାତକୁ ମୋଡ଼ି ଦେବା ସହ ତାଙ୍କୁ ଧକ୍କା ମାରିଥିଲେ। ଏଥିରେ ମହିଳା ଜଣଙ୍କ ଅପମାନ ବୋଧ କରିବା ସହ ଉତ୍ତେଜିତ ହୋଇପଡ଼ିିଥିଲେ। ହାତରେ ପଥର ଖଣ୍ଡିଏ ଧରି ସମ୍ପୃକ୍ତ ସେବକଙ୍କୁ ଆକ୍ରମଣ କରିବା ଲାଗି ଗୋଡ଼ାଇଥିଲେ। ଏପରି କି ତାଙ୍କ ଉପରକୁ ପଥର ଫୋପାଡ଼ିିବାକୁ ଉଦ୍ୟମ କରିଥିଲେ। ସିଂହଦ୍ୱାର ନିକଟରେ ଥିବା ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ମହିଳାଙ୍କୁ ବୁଝାଶୁଝା କରି ପଥର ଛଡ଼ାଇ ନେଇଥିଲେ। ହେଲେ ଏତିକିରେ ମହିଳାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେ ତାଙ୍କ ହାତରୁ ଶଙ୍ଖା ଖୋଲି ଅରୁଣସ୍ତମ୍ଭ ନିକଟକୁ ଫିଙ୍ଗିଥିଲେ। ଲୁହା ବ୍ୟାରିକେଡ଼ରେ ବାଜି ଶଙ୍ଖା ଭାଙ୍ଗି ତଳେ ପଡ଼ିଥିଲା। ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ କିଛି ସମୟ ଅଟକି ଏହାକୁ ଦେଖିଥିଲେ।

Share