Categories: ଖେଳ

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ଡୁପ୍ଲେସିଙ୍କ ଇସ୍ତଫା

ଜୋହାନ୍ସବର୍ଗ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ବରିଷ୍ଠ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଇସ୍ତଫା ଦେଇଛନ୍ତି। ସେ ୩ଟି ଫର୍ମାଟର ନେତୃତ୍ୱରୁ ଓହରିଯାଇଛନ୍ତି। ପରବର୍ତ୍ତୀ ପିଢିକୁ ସୁଯୋଗ ଦେବା ପାଇଁ ସେ ନେତୃତ୍ୱ ଛାଡିଛନ୍ତି ବୋଲି କହିଛନ୍ତି। ତେବେ ୩୫ ବର୍ଷୀୟ ଡୁପ୍ଲେସି ପୂର୍ବପରି ଦଳ ପାଇଁ ଖେଳ ଜାରି ରଖିବେ ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ତରଫରୁ କୁହାଯାଇଛି। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ସେ ଖେଳ ଜାରି ରଖିବେ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୟୁଣ୍ଟନ ଡି କକ୍‌ ଦଳର ନେତୃତ୍ୱ ନେଇଥିଲେ। ନେତୃତ୍ୱ ଛାଡିବା ନିଷ୍ପତ୍ତି କଷ୍ଟକର ଥିଲା। ତେବେ ଡିକକ୍‌ଙ୍କୁ ସମର୍ଥନ କରୁଛି ବୋଲି ୩୫ ବର୍ଷୀୟ ଡୁପ୍ଲେସି କହିଛନ୍ତି।
ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ଡୁପ୍ଲେସିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୁଣି ଏହାପରେ ଘରୋଇ ପରିବେଶରେ ଅନୁଷ୍ଠିତ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡଠାରୁ ୩-୧ରେ ପରାସ୍ତ ହୋଇଥିଲା। ବ୍ୟାଟିଂ ପ୍ରଦର୍ଶନରେ ମଧ୍ୟ ତାଙ୍କର ଅବନତୀ ହୋଇଥିଲା। ୧୪ଟି ଟେଷ୍ଟ ଇନିଂସରୁ ସେ ୨୦.୯୨ ହାରରେ ରନ୍‌ ସଂଗ୍ରହ କରିଥିଲେ। ଫଳରେ ସେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଦଳର ବୃହତ୍ତର ସ୍ବାର୍ଥ ପାଇଁ ଏପରି ନଷ୍ପତ୍ତି ନେଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ୩ଟି ଯାକ ଫର୍ମାଟରେ ଖେଳ ଜାରି ରଖିବି ବୋଲି ଡୁପ୍ଲେସି ସ୍ପଷ୍ଟ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଓ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଡୁପ୍ଲେସି ଏହି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଥାଉ କି, ଡୁପ୍ଲେସିଙ୍କ ନେତୃତ୍ୱରେ ୩୬ଟି ଟେଷ୍ଟ ଖେଳି ଦକ୍ଷିଣ ଆଫ୍ରିକା ୧୮ଟିରେ ବିଜୟୀ ହୋଇଥିବା ବେଳେ ୧୫ଟିରେ ପରାଜୟ ବରଣ କରିଛି। ତେବେ ୩୯ଟି ଦିନିକିଆରୁ ଦକ୍ଷିଣ ଆଫ୍ରିକା ୨୮ ଓ ୩୭ଟି ଟି୨୦ରୁ ୨୩ଟିରେ ବିଜୟୀ ହୋଇଛି। ସେ ଏପର୍ଯ୍ୟନ୍ତ ୬୫ ଟେଷ୍ଟ, ୧୪୩ ଦିନିକିଆ ଓ ୪୪ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share