Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦: ଧୋନୀଙ୍କୁ ସ୍ଥାନ ମିଳିଲାନି, ହାର୍ଦ୍ଦିକ ଫେରିଲେ

ନୂଆଦିଲ୍ଲୀ, ୩୦।୮ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନାହିଁ। ତେବେ ଆଘାତଜନିତ ସମସ୍ୟାରୁ ମୁକୁଳି ଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ ମାଧ୍ୟମରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ୨ ମାସ ବିଶ୍ରାମ ନେଇଥିବା ଧୋନୀ ଟେରୀଟୋରିଆଲ୍‌ ଆର୍ମିରେ ୧୫ ଦିନ ଡ୍ୟୁଟି ସମ୍ପନ୍ନ କରି ବର୍ତ୍ତମାନ ଆମେରିକାରେ ଛୁଟି କାଟୁଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଲାଗି ଚୟନକର୍ତ୍ତା ଧୋନୀଙ୍କ ଉପଲବ୍ଧି ନେଇ ତାଙ୍କ ସହ ଆଲୋଚନା କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ଆଘାତଜନିତ ସମସ୍ୟା ଲାଗି ଚଳିତ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ପୁଣିଥରେ ଦଳକୁ ଫେରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ଖେଳିଥିବା ଦଳରୁ କେବଳ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍‌ ଶର୍ମା, ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ୍‌ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।

Share