Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ

ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ କମିଟି ମୁଖ୍ୟ ସୁନୀଲ ଜୋଶୀଙ୍କ ଅଧ୍ୟକ୍ଷତାରେ ଏହି ଦଳ ଘୋଷଣା କରାଯାଇଛି। ଦୀର୍ଘ ଦିନ ଧରି ଆଘାତ ସମସ୍ୟା ଦେଇ ଗତିକରିଆସୁଥିବା ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଉପ- ଅଧିନାୟକ ରୋହିତ ଶର୍ମା ସମ୍ପର୍ଣ୍ଣ ଫିଟ୍‌ ହୋଇ ନ ଥିବାରୁ ଦଳରେ ସ୍ଥାନ ପାଇନାହାନ୍ତି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ସେ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଛି।
ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଓ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ସେହିପରି ଅଭିଜ୍ଞ କେଦାର ଯାଦବଙ୍କ ବଦଳରେ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ସୁଯୋଗ ଦିଆଯାଇଛି। ଶୁବମନ ପାଖାପାଖି ଗୋଟିଏ ବର୍ଷ ତଳେ ଶେଷଥର ପାଇଁ ଦିନିକିଆ ଖେଳିଥିଲେ। ଇଞ୍ଜୁରି କାରଣରୁ ପାଣ୍ଡ୍ୟା ପିଠିରେ ଅସ୍ତ୍ରୋପଚାର କରାଇଥିଲେ। ଡିଓ୍ବାଇ ପାଟିଲ କର୍ପୋରେଶନ ଟି୨୦ ଟୁର୍ନାମେଣ୍ଟରେ ସେ ଦମ୍‌ଦାର ବ୍ୟାଟିଂ କରି ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ସେହିପରି ଧାଓ୍ବନ ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଖେଳିବା ଅବସରରେ ଆହତ ହୋଇଥିଲେ। ଅନ୍ୟପଟେ ଭୁବନେଶ୍ୱର ଲଣ୍ଡନରେ ସ୍ପୋଟର୍‌ସ ହାର୍ନିଆ ସର୍ଜରୀ କରାଇଥିଲେ। ଧାଓ୍ବନଙ୍କ ପ୍ରତ୍ୟାବର୍ତ୍ତନ ସହ ମୟଙ୍କ ଅଗ୍ରଓ୍ବାଲ ତାଙ୍କ ସ୍ଥାନ ଦଳରେ ହରାଇଛନ୍ତି। ୩ଟି ଯାକ ଦିନିକିଆ ଯଥାକ୍ରମେ ୧୨, ୧୫ ଓ ୧୮ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ।
ଘୋଷିତ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ନବଦୀପ ସଇନି, କୁଲଦୀପ ଯାଦବ ଓ ଶୁବମନ ଗିଲ।

Share