Categories: ଖେଳ

ଦକ୍ଷିଣ ଆଫ୍ରିକା-ବୋର୍ଡ ଏକାଦଶ ଦ୍ୱିତୀୟ ଓ୍ବାର୍ମଅପ୍‌: ପେସର, ସୁଶ୍ରୀଙ୍କ ଉପରେ ନଜର

ସୁରଟ, ୨୨।୯-
ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଦ୍ୱିତୀୟ ମହିଳା ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ରବିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ଖରାପ ପାଗ ଯୋଗୁ ବାତିଲ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ବୋର୍ଡ ଏକାଦଶର ପେସର ଏବଂ ଓଡ଼ିଶା ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଉପରେ ନଜର ରହିବ।
ଏହି ମ୍ୟାଚରେ ମୁଖ୍ୟତଃ ଦୁଇ ପେସର ପୂଜା ବସ୍ତ୍ରକାର ଓ ମାନସି ଯୋଶୀଙ୍କ ଉପରେ ନଜର ରହିବ। ଉଭୟ ଯୋଶୀ ଓ ପୂଜା ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେଣୁ ଓ୍ବାର୍ମଅପ୍‌ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ସେମାନେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରଜ ପୂର୍ବରୁ ମୋମେଣ୍ଟମ ପାଇ ପାରିବେ। ୧୫ ବର୍ଷୀୟା ଓପନର ଶାଫାଲି ବର୍ମାଙ୍କ ଉପରେ ମଧ୍ୟ ନଜର ରହିବ। ଅଧିନାୟିକା ସୁଷମା ବର୍ମା ଓ ଉପଅଧିନାୟିକା ଦେବିକା ବୈଦ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବେ। ସୁଶ୍ରୀ ଦିବ୍ୟ ଦର୍ଶିନୀ ଭାରତ-ଏ ଦଳରେ ସ୍ଥାନ ପାଇଛନ୍ତି। ତେଣୁ ଏଠାରେ ଭଲ ପ୍ରଦର୍ଶନ କଲେ ତାଙ୍କର ମନୋବଳ ନିଶ୍ଚିତ ଦୃଢ଼ ହୋଇପାରିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରକା ମହିଳା ଦଳ ମ୍ୟାଚ ପ୍ରାକ୍ଟିସ ପାଇଁ ବ୍ୟଗ୍ର। ପ୍ରଥମ ଓ୍ବାର୍ମଅପ୍‌ ବାତିଲ ହୋଇ ଯାଇଥିବାରୁ ରିଜର୍ଭ ଖେଳାଳିଙ୍କୁ ପରଖି ନେବାକୁ ଏହା ହିଁ ପ୍ରକୃଷ୍ଟ ସମୟ।

Share