ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମାଫୋସା

ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ ପାର୍ଲାମେଣ୍ଟ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ରାଷ୍ଟ୍ରପତି ନିର୍ବାଚିତ କରିଥିଲା। ରାଜଧାନୀ ପ୍ରେଟୋରିଆର ଲୋଫଟସ୍‌ ଭର୍ସଫେଲ୍ଡ ଷ୍ଟାଡିୟମ୍‌ରେ ହଜାର ହଜାର ବିଶିଷ୍ଟ ବ୍ୟକ୍ତି ଓ ନାଗରିକଙ୍କ ଉପସ୍ଥିତିରେ ସମ୍ବିଧାନ ପ୍ରତି ନିଷ୍ଠା ରଖି କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ। ବିଭିନ୍ନ ବିଭାଗର ମୁଖ୍ୟ, ପୂର୍ବତନ ମୁଖ୍ୟ, ବିଭିନ୍ନ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସଂଗଠନର ମୁଖ୍ୟମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ମେ ୮ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାମାଫୋସାଙ୍କ ଏଏନ୍‌ସିକୁ ୫୭.୫ ପ୍ରତିଶତ ଭୋଟ ମିଳିଥିଲା। ୪୦୦ ସଦସ୍ୟ ବିଶିଷ୍ଟ ଦକ୍ଷିଣ ଆଫ୍ରିକା ପାର୍ଲାମେଣ୍ଟରେ ଏଏନ୍‌ସିକୁ ୨୩୦ ଆସନ ମିଳିଥିବାବେଳେ ବିରୋଧୀ ଦଳ ଡିଏକୁ ୮୪ ଆସନ ମିଳିଛି।

Share