Categories: ଖେଳ

ଦକ୍ଷିଣ ଆଫ୍ରିକା ୧ ରନରେ ବିଜୟୀ

ଇଷ୍ଟ ଲଣ୍ଡନ, ୧୩।୨- ସ୍ଥାନୀୟ ବଫାଲୋ ପାର୍କରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଉଇକେଟ ହରାଇ ୧୭୭ ରନ କରିଥିଲା। ଜବାବରେ ଇଂଲଣ୍ଡ ଏକଦା ବିଜୟ ଦ୍ୱାରରେ ପହଞ୍ଚତ୍ଥିଲେ ହେଁ ଚାପର ବଶବର୍ତ୍ତୀ ହୋଇ ମ୍ୟାଚ ହାତଛଡ଼ା କରିଥିଲା। ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ଶେଷ ୨ ଓଭରରେ ୨୩ ରନ ଆବଶ୍ୟକ ହେଉଥିଲା। ଇଅନ ମୋର୍ଗାନ ଓ ମୋଇନ ଅଲୀ ପ୍ରତିପକ୍ଷ ବେନ୍‌ ହେଣ୍ଡ୍ରିକ୍ସ ବୋଲିଂ କରିଥିବା ୧୯ତମ ଓଭରରୁ ୧୬ ରନ ସଂଗ୍ରହ କରିଥିଲେ। ଏହି ଓଭରରେ ୨ ଚୌକା ଓ ୧ ଛକା ମାରିଥିବା ମୋର୍ଗାନ ୬ଷ୍ଠ ବଲ୍‌ରେ ଆଉଟ ହୋଇ ଯାଇଥିଲେ। ଅନ୍ତିମ ଓଭରରୁ ବିଜୟ ପାଇଁ ମାତ୍ର ୭ ରନ ଆବଶ୍ୟକ ହେଉଥିଲା। ମାତ୍ର ଲୁନ୍‌ଗି ଏନଗିଡିଙ୍କ ଓଭରରେ ଦଳ ୩ ଉଇକେଟ ହରାଇ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବିଜୟ ଲକ୍ଷ୍ୟଠାରୁ ଇଂଲଣ୍ଡ ୧ ରନ ଦୂରରେ ରହି ଯାଇଥିଲା।

Share