ଦକ୍ଷିଣ ଓଡ଼ିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର,  ୧୩।୧୨(ବ୍ୟୁରୋ):ରାଜ୍ୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଏବେ ସରକାରଙ୍କ ନିଦ ହଜାଇଛି। ଏଥିରେ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ’ ଆଉ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବାକୁ ଓ ଏହାର ସ୍ଥାୟୀ ପ୍ରତିକାର ପାଇଁ ବନ ବିଭାଗ ଏକ ନୂତନ ଉପାୟ ଚିନ୍ତା କରିଛି। ହାତୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଲାଗି ଇନ୍‌ଫ୍ରାସୋନିକ ଶଦ୍ଦ ସୃଷ୍ଟି କରିଥାନ୍ତି, ଯାହା ମଣିଷ କାନକୁ ଶୁଭେ ନାହିଁ। ତେବେ ଏହାକୁ କିଭଳି ରେକର୍ଡ କରାଯାଇପାରିବ, ସେନେଇ ଉପକରଣ ତିଆରି କରିବା ପାଇଁ ବନ ବିଭାଗ ଭୁବନେଶ୍ୱର ଆଇଆଇଟିର ସହାୟତା ଲୋଡ଼ିଛି। ଏକ ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ସାହାଯ୍ୟରେ ବନ କର୍ମଚାରୀ ହାତୀର ଶଦ୍ଦକୁ ଦୂରରୁ ଜାଣିପାରିବେ। ହାତୀ ୫ କିଲୋମିଟର ଦୂରରେ ଥିଲେ ମଧ୍ୟ ସେମାନଙ୍କ ଭାଷା ଓ ଗତିବିଧିକୁ ଏହି ଯନ୍ତ୍ର ଦ୍ୱାରା ଜାଣିହେବ। ହାତୀଙ୍କ ଏହି ଶବ୍ଦକୁ ରେକର୍ଡ କରାଯାଇ ପାରିଲେ ସେମାନଙ୍କ ଗତିବିଧି, ଆଚରଣ ଓ ହାତୀଙ୍କ ଜୀବନ ପ୍ରତି ଥିବା ବିପଦ ସମ୍ପର୍କରେ ସୂଚନା ମିଳିପାରିବ। ଏହାଦ୍ୱାରା ହାତୀ-ମଣିଷ ଲଢ଼େଇ ରୋକିବା ସହଜ ହେବ ବୋଲି ବନ ବିଭାଗ ଆଶା ରଖିଛି। ଅନ୍ୟପକ୍ଷରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଓଡ଼ିଶାରେ ହସ୍ତୀ ଅଭୟାରଣ୍ୟ ହେବ। କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଅଭୟାରଣ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ରାଜ୍ୟର ଜଙ୍ଗଲରେ ବୁଲୁଥିବା ୩ ଦୁଷ୍ଟ ହାତୀର ଗତିବିଧି ଉପରେ ନଜର ରଖିବା ଲାଗି ସେମାନଙ୍କୁ ରେଡିଓ କଲାର ପିନ୍ଧାଯିବ। ଅନୁଗୋଳ ଓ ଦେବଗଡ଼ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଏହି ୩ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ଆଗୁଆ ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ ଗୁରୁବାର ଅରଣ୍ୟ ଭବନଠାରେ ଅନୁଷ୍ଠିତ କର୍ମଶାଳାରେ ସୂଚନା ଦେଇଛନ୍ତି।

Share