ଦକ୍ଷିଣ କୋରିଆ-ଜାପାନରେ ବୃଦ୍ଧି ପାଉଛି କରୋନା ମାମଲା: ଭାରତ ବନ୍ଦ କଲା ଭିଜା

ସେୟୋଲ,୨୮।୨: ଚାଇନାରେ କରୋନା ଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏହାର କବଳରୁ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ବର୍ତ୍ତିପାରିନାହିଁ। ଦକ୍ଷିଣ କୋରିଆ ଓ ଜାପାନରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସେଠାକାର ନାଗରିକଙ୍କ ପାଇଁ ଭାରତ ଭିଜା ଅନ୍‌ ଆରାଇଭଲ୍‌ର ସୁବିଧା ବନ୍ଦ କରିଦେଇଛି। ଏନେଇ ସେୟୋଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି। ଜାପାନରେ କରୋନା ଭାଇରସ୍‌ରେ ପ୍ରାୟ ୧୯୦ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଦକ୍ଷିଣ କୋରିଆରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୨ହଜାର ଲୋକ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ୧୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିପାଇଁ ଆମେରିକା ଓ ଦକ୍ଷିଣ କୋରିଆ ସେନାଙ୍କ ମିଳିତ ଅଭ୍ୟାସକୁ ସ୍ଥଗିତ କରିଦିଆଯାଇଛି। ଆସନ୍ତା ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ଅଭ୍ୟାସ ବନ୍ଦ ରହିବ। ସେହିପରି ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ ସଙ୍କଟକୁ ଦେଖି ସାଉଦୀ ଆରବ ହଜ୍‌ ଯାତ୍ରା ପୂର୍ବରୁ ମକ୍କା ଓ କାବା ଯାତ୍ରା ଉପରେ ମଧ୍ୟ ରୋକୋ ଲଗାଇଛି। ସୂଚନାଯୋଗ୍ୟ, ଚାଇନାରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସଂଖ୍ୟା ୨,୭୮୮କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୭୮,୮୨୪ ଜଣ ସଂକ୍ରମିତ ହୋଇଛନ୍ତି। ଗୁରୁବାର ଆଉ ୪୦ଜଣ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ କମିଶନ (ଏନ୍‌ଏଚ୍‌ସି)ଙ୍କ ଅନୁସାରେ ହୁବାଇ ଅଞ୍ଚଳ ଓ ତା’ର ରାଜଧାନୀ ଉହାନରେ ଏହି ସଂକ୍ରମଣରେ ସଂକ୍ରମିତ ହୋଇ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ବେଜିଂ, ହେଇଲୋଗାଜିଆଙ୍ଗ୍‌ ଓ ହେମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି।

Share