ହଷ୍ଟେଲରୁ ନିଖୋଜ ଛାତ୍ର ଜଙ୍ଗଲରୁ ଉଦ୍ଧାର

ଦାରିଙ୍ଗବାଡ଼ି,୨୮।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଦଡ଼ିବାଡ଼ି ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର ବୁଧବାର ଭୋରରୁ ନିଖୋଜ ହୋଇଯାଇଥିଲେ। ସକାଳୁ ସେ ହଷ୍ଟେଲରେ ନଥିବା ପ୍ରଧାନ ଶିକ୍ଷକ ଜାଣି ଛାତ୍ରଙ୍କ ଗ୍ରାମ ଶ୍ରାନିକେତା ପଞ୍ଚାୟତର ତେରାବାଡ଼ିରେ ପହଞ୍ଚତ୍ ପରିବାର ଲୋକଙ୍କୁ ଜଣାଇବା ସହ ଖୋଜାଖୋଜି କରିଥିଲେ। ପରେ କିଛି ଲୋକ ଉକ୍ତ ଛାତ୍ର ଜଙ୍ଗଲ ରାସ୍ତାରେ ବୁଲୁଥିବା ଦେଖି ଉଦ୍ଧାର କରି ବିଦ୍ୟାଳୟରେ ଅପରାହ୍ନ ପ୍ରାୟ ସାଢ଼େ୧ଟାରେ ଆଣି ପହଞ୍ଚାଇଥିଲେ। ବିଦ୍ୟାଳୟ କର୍ତ୍ତୁପକ୍ଷ ଛାତ୍ରଙ୍କ ପରିବାର ଲୋକଙ୍କୁ ଡକାଇ ଲିଖିତ ଭାବେ ରଖି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପ୍ରଧାନ ଶିକ୍ଷକ ରମାକାନ୍ତ ବଳିଆର ସିଂ କହିଛନ୍ତି।ସେପଟେ କେଉଁ ପରିସ୍ଥିତିରେ ଛାତ୍ର ଜଣକ ହଷ୍ଟେଲ ଛାଡ଼ି ଚାଲିଯାଇଥିଲେ ତାହାର ତଦନ୍ତ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ କରିଛନ୍ତି। ପୂର୍ବରୁ ମଧ୍ୟ ଛାତ୍ର ଜଣକ ଏଭଳି ହଷ୍ଟେଲ ଛାଡ଼ି ଘରକୁ ପଳାଇଥିଲେ। ଖୋଜାଖୋଜି ପରେ ତାଙ୍କ ଘରେ ଥିବା ଜାଣିବା ସହ ପରିବାର ଲୋକଙ୍କୁ କିଛିଦିନ ଛାତ୍ର ଜଣକ ଘରେ ରହୁ ବୋଲି ପ୍ରଧାନ ଶିକ୍ଷକ ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକ ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଣି ହଷ୍ଟେଲରେ ଛାଡ଼ିଦେଇଥିଲେ।

Share