ଦନ୍ତାହାତୀ ଉପଦ୍ରବ: ଲୋକେ ଆତଙ୍କିତ, ୪ଘର ଭାଙ୍ଗି ଧାନ ଚାଉଳ ଖାଇଲା

ବାଲିଶଙ୍କରା, ୨୭।୨ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲାର ବିଭିନ୍ନ ବନ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୁନ୍ଦରଗଡ଼ ସଦର ରେଞ୍ଜ ରାଉଳଡେଗା ସେକ୍ସନର ଘୋଘର ଗ୍ରାମରେ ବୁଧବାର ରାତିରେ ଏକ ଦନ୍ତାହାତୀ ପଶି ବ୍ୟାପକ କ୍ଷତି ଘଟାଇଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ୪ଜଣଙ୍କ ଘର ଭାଙ୍ଗି ଦେଇଛି। ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଛି। ଏହା ସହ ଘରୋଇ ଉପକରଣ ମାଡିଦଳି ନଷ୍ଟ କରି ଦେଇଛି। ଏହି ଜଙ୍ଗଲି ଦନ୍ତାହାତୀ ଦୀର୍ଘ ଦିନରୁ ଅଞ୍ଚଳରେ ରହି ଅନେକ ଲୋକଙ୍କର ଘର ଭାଙ୍ଗି କ୍ଷତି ଘଟାଉଛି। ଘରେଥିବା ବର୍ଷକର ଖାଦ୍ୟ ଧାନ, ଚାଉଳ ଓ ଘରୋଇ ଉପକରଣ ମାଡିଦଳି ନଷ୍ଟ କରୁଥିବାରୁ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବୁଧବାର ରାତିରେ ଘୋଘର ଗ୍ରାମର ନିରଞ୍ଜନ ଗୁରୁ, କୃଷ୍ଣ ନାୟକ, ସରସ୍ବତୀ ଗୁରୁ, ସୁକାନ୍ତି ପ୍ରଧାନଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି। ସେମାନଙ୍କର ଘରୋଇ ଉପକରଣ ମାଡିଦଳି ନଷ୍ଟ କରିଦେଇଥିବାରୁ ସେମାନେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛନ୍ତି। କଠିନ ପରିଶ୍ରମ ଓ ଧାରକରଜ କରି ବର୍ଷକର ଖାଦ୍ୟକୁ ଘରେ ସାଇତି ରଖିଥିବା ବେଳେ ଦନ୍ତା ହାତୀ ଆସି ୫ ମିନିଟରେ ବର୍ଷକର ଖାଦ୍ୟକୁ ଖାଇ ଚାଲିଯିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ହାତୀ ସ୍ଥାନୀୟ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ଦେଇଛି। କବାଟ ଝରକା ମଧ୍ୟ ନଷ୍ଟ କରିଦେବା ଫଳରେ ବିଭିନ୍ନ ସମସ୍ୟା ଦେଖାଦେଇଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଅଞ୍ଚଳରୁ ଜଙ୍ଗଲି ହାତୀକୁ ଘଉଡାଇବା ପାଇଁ ମଧ୍ୟ ଦାବି ହେଉଛି।