ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରିଥିଲେ। ଚନ୍ଦକା ଅଭୟାରଣ୍ୟରୁ ଏହି ହାତୀ ପାଣି ପିଇବାକୁ ଆସି ମହାନଦୀ ପଠାର ତଣ୍ଡି ବୁଦାରେ ଲୁଚି ରହିଯାଇଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ଡମପଡ଼ା ଓ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେମାନେ ବାଣ, ବାଜା ଓ ନିଆଁ ହୁଳା ଦେଖାଇବାକୁ ମହଜୁଦ ରଖିଛନ୍ତି। ଏହା ଦନ୍ତାହାତୀ ହୋଇଥିବାରୁ ଜଙ୍ଗଲରୁ ଖାଦ୍ୟାପାନୀୟ ପାଇଁ ବାହାରି ଆସିଛି ବୋଲି ସେମାନେ ଅନୁମାନ କରୁଛନ୍ତି। ବାଙ୍କୀ ବନବିଭାଗର ଶିଶୁଆ ଫରେଷ୍ଟ ଅଧିକାରୀ ପ୍ରିୟଦର୍ଶିନୀ ସେଠୀ, ଡମପଡା ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମହାନ୍ତି, ଡମପଡ଼ା ଫରେଷ୍ଟର ରାକେଶ ସ୍ବାଇଁ ଓ କର୍ମଚାରୀମାନେ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ହାତୀ ଯୋଗୁ ଜନସାଧାରଣଙ୍କ ଅସୁବିଧା ହେବନାହିଁ ବୋଲି ଜଙ୍ଗଲ ବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି।

Share