ଦବିଲା ମହିଁଷାସୁରୀ ପୋଲ

କପ୍ତିପଦା,୨୯ା୯(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରାତନ ପୋଲ ଦବି ଯାଇଛି ା ଏହି ପୋଲରେ ବିରାଟ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ପୋଲଟି ଭାଙ୍ଗି ପଡ଼ିବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୋଲ ଉପର ଦେଇ ଭାରୀଯାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ରାସ୍ତାଟି ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଖବରପାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ନାୟକ ଓ ଯନ୍ତ୍ରୀ ଜଗଦିଶ ବେହେରା ଘଟଣାସ୍ଥଳ ପରିଦର୍ଶନ କରି ଦବି ଯାଇଥିବା ସ୍ଥାନକୁ ବ୍ୟାରିକେଡ କରିବା ସହିତ ନାଲି ପତାକା ଲଗାଇଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ନାୟକ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହିତ ଉଦଳା ଉପ ଜିଲାପାଳ, କପ୍ତିପଦା ବିଡିଓ, ତହସିଲଦାର ଓ ଥାନା ଅଧିକାରିଣୀଙ୍କୁ ଅବଗତ କରିଛନ୍ତି। ବାରଣ ସତ୍ତ୍ୱେ ଏହି ବିପଦସଙ୍କୁଳ ପୋଲ ଉପରେ ଭାରୀଯାନ ଯାତାୟତ କରୁଥିବାରୁ ସମସ୍ୟା ମୁଣ୍ଡ ଟେକିଛି ା ବିପଦ ଥାଇ ମଧ୍ୟ କେହି ନିୟମ ମାନୁ ନ ଥିବାରୁ ଏହାକୁ ରୋକିବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ କରିବାକୁ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହି ପୋଲଟି ୪୦ ବର୍ଷ ତଳେ ନିର୍ମାଣ ହୋଇଥିବାବେଳେ ଏହାର ଉଚ୍ଚତା ମଧ୍ୟ ବହୁତ କମ୍‌ ା ଏହିି ରାସ୍ତା ଦେଇ ଯାଇଥିବା କଳମଗଡିଆ ସାରୀଶୁଆ ଅଞ୍ଚଳର ଖାଦାନରୁ ଟ୍ରକ ଓ ଡମ୍ପର ମାଧ୍ୟମରେ ପ୍ରତିଦିନ ପଥର ଚୋରାଚାଲାଣ ହେଉଛି ା ଦୀର୍ଘଦିନ ଧରି ଏହି ପୋଲ ଉପରେ ବହୁ ଭାରୀଯାନ ଚାଲୁଥିବାରୁ ପୋଲି ଦବି ଗଲା ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି ା ଏହା ବ୍ୟତୀତ ପୋଲର ଉଚ୍ଚତା କମ୍‌ ଥିବାରୁ ନଦୀରେ ପାଣି ଆସିଲେ ଏହା ପାଣିରେ ବୁଡି ଯାଇଥାଏ ା ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। କିଛି ଦିନ ତଳେ ସୋନ ଡ୍ୟାମରୁ ଜଳ ନିଷ୍କାସନ ମଧ୍ୟ କରାଯାଇଥିଲା। ଫଳରେ ଡ୍ୟାମ ଜଳର ପ୍ରଖର ସ୍ରୋତ ମଧ୍ୟ ପୋଲ ଦବି ଯିବାର ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ଏହି ରାସ୍ତାଟି କପ୍ତିପଦା ବ୍ଲକ୍‌ ହେଡକ୍ୱାର୍ଟରକୁ ସଂଯୋଗ କରୁଛିା ପୋଲଟି ଭାଙ୍ଗି ପଡ଼ିଲେ ୬ଟି ପଞ୍ଚାୟତ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହିତ ପ୍ରାୟ ୪୦ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତାଟି ବାଲେଶ୍ୱର, ଔପଦା, ସୋର ଓ ଭଦ୍ରକ ସହିତ ସଂଯୋଗ କରୁଥିବା ବେଳେ ଲୋକେ କଟକ, ଭୂବନେଶ୍ୱର ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି ା ତେଣୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ହେବ ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି। ବିଭାଗ ପକ୍ଷରୁ ପୋଲ ନିର୍ମାଣ ଲାଗି ପ୍ରସ୍ତାବ ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ା ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲୋକନ କରାଯିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ା