ଦବୁଛି ସୌରଚାଳିତ ଗଭୀର ନଳକୂପଅଭିଯୋଗ ପରେ ମଧ୍ୟ ମରାମତି ହେଉନି

ଝୁମ୍ପୁରା, ୨୭।୫(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତର ଜଡିପଦା ସାହିରେ ଥିବା ସୋଲାର ସିଷ୍ଟମର ଗଭୀର ନଳକୂପର ଏକ ପାର୍ଶ୍ୱ ଦବିବାରେ ଲାଗିଛି। ଗଭୀର ନଳକୂପରୁ ପାଇପ ଯୋଗେ ସୋଲାର ସିଷ୍ଟମ ପଏଣ୍ଟଗୁଡିକ ପାଇଁ ସଂଯୋଗ ହୋଇଥିବା ପାଇପ ମଧ୍ୟ ଦେଖାଗଲାଣି। ବାହାରର ମଇଳା ପାଣି ସବୁ ଦବିଯାଇଥିବା ଗାଢ଼ରେ ପଶୁଛି। ନଳକୂପର ଚାନ୍ଦିନି ବେଢା ମଧ୍ୟ ଫାଟି ଗଲାଣି। ପାନୀୟ ଜଳ ଯୋଗାଣ ପାଇଁ ସାହରା ପାଲଟିଥିବା ସାହି ବାସିନ୍ଦାଙ୍କ ଏହି ସୋଲାର ସିଷ୍ଟମ ନଳକୂପର ପାର୍ଶ୍ୱ ଦବି ଯାଉଥିବା ନେଇ ସାହି ବାସିନ୍ଦା ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମରାମତି କରାଯିବା ପାଇଁ ଦାବି କରିଛନ୍ତି। ଏହା ମଧ୍ୟରେ ୨୦ଦିନରୁ ଊର୍ଦ୍ଧ୍ୱ ବିତିଗଲାଣି। ସୋଲାର ସିଷ୍ଟମ ନଳକୂପରୁ ପାଣି ମଧ୍ୟ ଠିକ ଭାବେ ଓଭରହେଡ ଟାଙ୍କିକୁ ଉଠି ପାରୁନାହିଁ। ଶୀଘ୍ର ସଜଡା ନ ଗଲେ ସୋଲାର ସିଷ୍ଟମ ପ୍ରକଳ୍ପ ଫେଲ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ସୋଲାର ସିଷ୍ଟମ ଫେଲ ହୋଇଗଲେ, ସାହି ବାସିନ୍ଦା ପୁଣି ଥରେ ଚୁଆ ପାଣି କୁ ଆଦରି ନେବେ। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବା ପାଇଁ ପ୍ରୟାସ କରାଯାଇଥିଲେ ହେଁ, କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ତାହା ସମ୍ଭବ ହୋଇପାରି ନ ଥିଲା। ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀ ମୋହନ ସିଂ ଏବଂ ଶୁଭସ୍ମିତା ଖମାରୀଙ୍କ ସହିତ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।