Categories: ଗଞ୍ଜାମ

ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣା:ଉଭୟ ପକ୍ଷର ୭ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣି ଗାରେଡି ସନ୍ଦେହରେ କେତେଜଣ ଲୋକ ରବିବାର ଏକ ଦମ୍ପତିଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇବା ଘଟଣାରେ ଚାପା ଉତ୍ତେଜନା ଲାଗିରହିଛି। ଗାଁରେ ପୋଲିସ ପଇଁତରା ମାରିବା ସହ ପରିସ୍ଥିତି ଉପରେ ନଜର ରଖିଛି। ଘଟଣାକୁ ନେଇ ଦମ୍ପତିଙ୍କ ପରିବାର ଓ ସାହି ବାସିନ୍ଦାଙ୍କ ପକ୍ଷରୁ ଜଣେ ମହିଳା ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୃଥକ ୨ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ପକ୍ଷର ୭ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।
ନିର୍ଯାତନାର ଶିକାର ହୋଇଥିବା ଦମ୍ପତିଙ୍କ ପୁଅ ଅରୁଣ ଦାସ ତାଙ୍କ ଗ୍ରାମର ୧୦ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ବଳପୂର୍ବକ ଘରେ ପଶି ତାଙ୍କୁ ଓ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ରୁଜୁ ହୋଇଥିବା ମାମଲା ନଂ.୧୪୯/୧୯ ପ୍ରକାରେ ନୀଳା ଦାସ, କଂଗ୍ରେସ ଦାସ, ପପୁନ ଦାସ, ଉପେନ୍ଦ୍ର ଦାସ, ବଳରାମ ଦାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଫେରାର ଅଛନ୍ତି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ ନେଇ ସ୍ବାମୀ, ଦାଦା ଶ୍ୱଶୁର ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା କଂଗ୍ରେସ ଦାସଙ୍କ ସ୍ତ୍ରୀ ମାମିଙ୍କ ପାଲଟା ଅଭିଯୋଗ ପ୍ରକାରେ ନଂ.୧୫୦/୧୯ରେ ଅରୁଣ ଓ ତାଙ୍କ ବାପା ତଥା ନିର୍ଯାତନା ପାଇଥିବା ଅଭିଯୋଗ ଆସିଥିବା ବଂଶୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ବଂଶୀଙ୍କ ସ୍ତ୍ରୀ, ଝିଅ ଓ ଭଉଣୀଙ୍କୁ ସିଆରପିସିର ଧାରା ୪୧ ପ୍ରକାରେ ନୋଟିସ ଦେଇ ଥାନାରୁ ଛାଡି ଦିଆଯାଇଥିବା ମାମଲାର ତଦନ୍ତ କରୁଥିବା ଏଏସଆଇ ପଦ୍ମନାଭ ଗୌଡ ପ୍ରକାଶ କରିଛନ୍ତି ।