ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି। ସେମାନେ ହେଲେ ସୀତାରାମ ସିଂ ଓ ତାଙ୍କ ସ୍ତ୍ରୀ ଲେତ ସିଂ। ଏ ନେଇ ତାଙ୍କ ଝିଅଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା(ନଂ.୧୨୯/୧୯) ରୁଜୁ ହୋଇ ତଦନ୍ତ ଜାରି ରହିଛି। ଉକ୍ତ ଦମ୍ପତି ପଞ୍ଚାୟତର ଛତ୍ରାଆମ୍ବଠାରେ ହୋଇଥିବା ଫୁଟ୍‌ବଲ ଖେଳ ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସୋମବାର ସକାଳେ ତାଙ୍କ ଘରଠାରୁ ଅନତି ଦୂର ଏକ ବିଲରେ ସୀତାରାମଙ୍କ ଚପଲ, ଲୁଗା ଓ ରକ୍ତଛିଟା ପଡ଼ିଥିବା ଦେଖାଯାଇଥିଲା। ସେହିପରି ପାଖାପାଖି ସ୍ଥାନରେ ଲେତଙ୍କ ଚୁଡ଼ି ଓ ରକ୍ତଛିଟା ମଧ୍ୟ ପଡ଼ିଥିଲା। ଫଳରେ ପରିବାର ଲୋକ ଏ ସଂକ୍ରାନ୍ତରେ କପ୍ତିପଦା ପୋଲିସକୁ ଜଣାଇଥିଲେ। ପୋଲିସ ସାଇଣ୍ଟଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛନ୍ତି। ଉଭୟଙ୍କର ପତ୍ତା ମିଳି ନ ଥିବାବେଳେ ସନ୍ଧାନୀ କୁକୁର ସୋନ ଡ୍ୟାମ୍‌ ପର୍ଯ୍ୟନ୍ତ ଯାଇ ସେଠାରେ ଅଟକିଥିଲା। ଦମକଳବାହନୀ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଛି। ଉଭୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଥିବା ବେଳେ ପୋଲିସ ତଦନ୍ତ ଚଳାଇଥିବା କହିଛି।