ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ ଦାଉ ସାଧୁଛି। ଅନେକ ଗଁାଗଣ୍ଡା ବନ୍ୟା ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏହି ସମୟରେ ବିପନ୍ନମାନଙ୍କ ନିକଟରେ ରିଲିଫ୍‌ ପହଞ୍ଚାଇବା ଏବଂ ସେମାନଙ୍କୁ ଉଦ୍ଧାର କରିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ହୋଇଯାଏ। ନଦୀ ଅବବାହିକା ଅଞ୍ଚଳରେ ବନ୍ୟାପାଣି ଘେରି ରହିଥିବାରୁ ଅନେକ ଜାଗାରେ ପହଞ୍ଚିବା ସମ୍ଭବ ହୁଏ ନାହିଁ। ଏପରିସ୍ଥଳେ ବୋଟ୍‌ ଏକମାତ୍ର ମାଧ୍ୟମ। ବର୍ଷାଦିନ ଓ ବନ୍ୟା ସମୟ ଆସିଲେ ଖୋଜାପଡ଼େ ବୋଟ୍‌। ହେଲେ ପରେ ଏହା ଅଲୋଡ଼ା। ଯାହାର ବାସ୍ତବ ଚିତ୍ର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି।
ବ୍ଲକ କାର୍ଯ୍ୟାଳୟ ପରିସରର ପଛପଟେ ଦୁଇଟି ଯନ୍ତ୍ରଚାଳିତ ବୋଟ୍‌ ଖରା, ବର୍ଷା, କାକର ଖାଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍‌ ପହଞ୍ଚାଇବା ଭଳି କାର୍ଯ୍ୟରେ ସହାୟକ ହେଉଥିବା ବୋଟ୍‌ ଦ୍ୱୟ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଏଥିପ୍ରତି କାହାରି ନିଘା ନାହିଁ। ବନ୍ୟା ବେଳେ ଖୋଜା ପଡୁଥିବା ବୋଟ୍‌ ଦ୍ୱୟ ପରେ ଅଦରକାରୀ ହୋଇ ପଡ଼ିଛି। ଉଲ୍ଲେଖନୀୟ ଯେ, ଏହି ଦୁଇଟି ବୋଟ୍‌ ସ୍ପେଶାଲ ରିଲିଫ୍‌ କମିଶନଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ଅଞ୍ଚଳ ଲାଗି ଯୋଗାଇ ଦିଆଯାଇଥିଲା। ବୈତରଣୀ ଓ ଗେଙ୍ଗୁଟି ନଦୀରେ ବନ୍ୟା ସମୟରେ ଏହାକୁ ବ୍ୟବହାର କରାଯାଉଥିଲା। ଦୁଇଟି ବୋଟ୍‌ ଚଳାଇବା ପାଇଁ ଦୁଇଜଣ ଖଲାସି ରହିଛନ୍ତି। ନଦୀରେ ବନ୍ୟା କମିଯିବା ପରେ ଏହାକୁ ଅଣାଯାଇ ବ୍ଲକ ପରିସର ପଛପଟେ ପକାଯାଇ ରଖାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଯନ୍ତ୍ରଚାଳିତ ଦୁଇ ବୋଟ୍‌ର ମଟର କଢ଼ାଯାଇ ରଖାଯାଇଥିବା ବେଳେ ବୋଟ୍‌ଗୁଡ଼ିକ ପଡ଼ିରହିଛି। ଏପରି କି ପ୍ରତ୍ୟେକ ବର୍ଷ ରଙ୍ଗ ଟିକେ ମଧ୍ୟ ଦିଆଯାଉନାହିଁ। ବୋଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ କରା ନ ଗଲେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ବିଡିଓ ବନମାଳୀ ତରାଇଙ୍କୁ ପଚାରିବାରୁ କହିଛନ୍ତି, ପଦାରେ ପଡ଼ିଥିବା ବୋଟ୍‌କୁ ରଖିବା ଲାଗି ସେଭଳି ଘର କି ଜାଗା ନାହିଁ। ବୋଟ୍‌ର ମଟର ଦୁଇଟି ସୁରକ୍ଷିତ ଅବସ୍ଥାରେ ଅଫିସରେ ରହିଛି।