ଦରଘା ପ୍ରବେଶଦ୍ୱାର ଭଙ୍ଗାବେଳେ ଉତ୍ତେଜନା

କଟକ ଅଫିସ,୨୦ା୨: ଏସ୍‌ସିବି ମେଡିକାଲର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ ପାଇଁ ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଯୋବ୍ରା ଅଞ୍ଚଳରେ ଉଚ୍ଛେଦବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଦର୍‌ଘା ଉଚ୍ଛେଦବେଳେ ଅଞ୍ଚଳବାସୀ ବିରୋଧ କରିଥିଲେ। ୱାକ୍‌ଫ ବୋର୍ଡ଼ର ଟ୍ରିବ୍ୟୁନାଲ୍‌ରେ ଦର୍‌ଘାର ଜମିକୁ ନେଇ ମାମଲା ବିଚାରାଧୀନ ଥିବା ଯୋଗୁ ତାହାକୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ଲୋକମାନେ କହିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତହସିଲଦାର୍‌ ଜମି ମାପଚୁପ କରିଥିଲେ। ଏହାପରେ ସରକାରୀ ଜମିରେ ଥିବା ଦର୍‌ଘାର ପ୍ରବେଶ ଦ୍ୱାରକୁ ଭଙ୍ଗା ଯାଇଥିଲା। କେବଳ ଦର୍‌ଘା ନୁହଁ, ଏହା ପାଖରେ ଥିବା ୮ଟି ଦୋକାନ ଭାଙ୍ଗିବା ସମୟରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୋକାନର ମୂଲ୍ୟ ତୁଳନାରେ କ୍ଷତିପୂରଣ ରାଶି କମ୍‌ ଥିବାରୁ ଦୋକାନୀମାନେ ବିରୋଧ କରିଥିଲେ। ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରିବା ସହ ଉଚ୍ଛେଦକାରୀ ଦଳକୁ ଅଟକାଇ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଦୋକାନୀମାନଙ୍କ ସହ ଆଲୋଚନା କରିବା ପରେ ବିରୋଧ ପ୍ରତ୍ୟାହାର ହୋଇଥିଲା। ପରେ ଦୋକାନ ଭଙ୍ଗା ଯାଇଥିଲା। ଉଚ୍ଛେଦ ସମୟରେ ବିରୋଧ ଏବଂ ଅସନ୍ତୋଷ ପ୍ରକାଶ ପାଇବାର ଆଶଙ୍କା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Share