ଭୁବନେଶ୍ୱର,୬ା୧: ଦରଦାମ୍ ବୃଦ୍ଧି ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।ଲୋୟର ପିଏମ୍ଜି ଠାରେ ୨୫ରୁ ୩୦ ହଜାର ଲୋକଙ୍କୁ ଏକାଠି କରି ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡି ଘେରିଛି । ଏହି ଆନ୍ଦୋଳନରେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ଭାଜପାକୁ କଡ଼ା କଥା ଶୁଣାଇଛନ୍ତି। ନବୀନ କହିଛନ୍ତି, ଦରଦାମ୍ ବଢ଼ି ବଢ଼ି ଚାଲିଛି, କିନ୍ତୁ କୌଣସି ଆକ୍ସନ ନିଆଯାଉନାହିଁ। ଡାଲି, ତେଲ ପରି ସବୁ ଅତ୍ୟାବଶ୍ୟକ ଜିନିଷ ଦର ଆକାଶଛୁଆଁ ହୋଇଛି। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ନବୀନ କହିଛନ୍ତି।
ଏଥିସହିତ ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ଲୋକଙ୍କ ଉପରେ ଡବଲ ମାଡ଼କରୁଛନ୍ତି। ଯାହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇଗଲାଣି। ଅଦିନିଆ ବର୍ଷା ପାଇଁ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ସବୁ ଜିନିଷରେ ଜିଏସ୍ଟି। ଭାଜପା ଶାସନକୁ
୭ ମାସ ହୋଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ। କାମରେ କିଛି ନାହିଁ ବୋଲି କହିଛନ୍ତି ନବୀନ।
ଅନ୍ୟପକ୍ଷରେ ବିଜେଡିର ନେତା ତଥା ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଅରୁଣ କହିଛନ୍ତି, ୬ ମାସରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡ଼ିଶା ଲକ୍ଷ୍ମୀଛଡା। ଦରଦାମ ବୃଦ୍ଧି ଘଟିଛି।
ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଆଜି ବିଜୁ ଜନତା ଦଳର ଏହି ବିକ୍ଷୋଭ ଦେଖି ଭାଜପା ନେତାମାନେ ଘରକୋଣରେ ବସିଥିବେ। ଏହି ବିଶାଳ ଶୋଭାଯାତ୍ରା ଦେଖି ସେମାନଙ୍କ ଛାତିରେ ଛନକା ପଶିଛି। ଡବଲ ଇଞ୍ଜିନ ଅର୍ଥ ସବୁଥିରେ ଡବଲ। ଆଳୁ ପିଆଜ ରେଟ୍ଠୁ ଆରମ୍ଭ କରି ସବୁ କିଛି ଡବଲ ହୋଇଛି।