ଦରଦୀ ଅଭିନେତା ଆକାଶ

ଓଡ଼ିଆ ଯାତ୍ରା ଜଗତରେ ଆକାଶ ନନ୍ଦ ଏକ ପରିଚିତ ନଁା। ଦରଦୀ ଗଳା। ସମୁଦ୍ର ପରି ଗଭୀର ଦୁଇ ଆଖିର ଚାହାଣି। ତାଙ୍କୁ ଦେଖିଲେ ଲାଗେ ଯେମିତି ଅନେକ କିଛି ଦୁଃଖ ଦରଦ ସାଇତା ହୋଇରହିଛି ତାଙ୍କ ଚାହାଣିରେ, ଭଙ୍ଗୀରେ। ମାତ୍ର ସେସବୁ ବାହାରକୁ ଫିଟୁନି। ସେଇ ଫିଟୁ ନ ଥିବା ଦୁଃଖ ଯେତେବେଳେ ତାଙ୍କ ସ୍ବରରେ ସଂଳାପ ହୋଇ ବାହାରେ ସେତେବେଳେ ଦର୍ଶକଟିଏ କାନ୍ଦିବାକୁ ବାଧ୍ୟହୁଏ। ଅନେକ ନାଟକରେ ରହିଛି ତାଙ୍କର ଦରଦୀ ଅଭିନୟ। ଭଦ୍ରକ ଜିଲାର ଭଣ୍ଡାରୀ ପୋଖରୀଠାରେ ଜନ୍ମଗ୍ରହଣ କରିଥିବା ଆକାଶ ଯାତ୍ରାକୁ ଆସନ୍ତି ୨୦୦୫ ଅଗଷ୍ଟ ୫ ତାରିଖରେ। ବାଣେଶ୍ୱରୀରେ ଯୋଗ ଦେଇ ସେ ତାଙ୍କ ଅଭିନୟ ଜୀବନର ଅୟମାରମ୍ଭ କରନ୍ତି। ଅନେକେ ଏକଥା ଜାଣି ନ ଥିବେ ଯେ, ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟାଭିନେତା ବ୍ରଜ ପାଣି ହେଉଛନ୍ତି ତାଙ୍କ ମାମୁ। ପିଲାଟି ଦିନରୁ ତ ସେ ଯାତ୍ରା ପ୍ରତି ଆକୃଷ୍ଟ ଥିଲେ। ମାତ୍ର ମାମୁ ତାଙ୍କୁ ନାଲି ଆଖି ଦେଖେଇ କହିଥିଲେ, ଆଗ ପାଠପଢ଼। ତା’ପରେ ଯାତ୍ରାକୁ ଯିବୁ କି ସିନେମା କରିବୁ। ବାପାମା’ଙ୍କର ଗୋଟିଏ ବୋଲି ପୁଅ। ତେଣୁ ତାଙ୍କର କୌଣସି କାମକୁ ନେଇ ବାପାମା’ଙ୍କର କିଛି ବି ଆପତ୍ତି ନ ଥିଲା। ମାମୁଙ୍କ କଥାମାନି ପାଠ ପଢ଼ିଲେ ଆକାଶ। ପ୍ଲସ୍‌ ଟୁ ପାସ୍‌ କଲେ। ଆଉ ଅଭିନୟ ଠାରୁ ନିଜକୁ ଅଧିକ ଦିନ ଦୂରେଇ ରଖିବା ସମ୍ଭବ ହେଲାନାହିଁ। ଭୁବନେଶ୍ୱର ଚାଲିଆସି ‘ମୁକ୍ତି ଥିଏଟର’ରେ କାମ କଲେ। ଅଭିନୟର ବ୍ୟାକରଣ ପଢ଼ିଲେ। ଶେଷରେ ଆସିଲେ ଯାତ୍ରାକୁ। ତାଙ୍କର ପ୍ରଥମ ନାଟକ ଥିଲା ‘ସଜେଇ ଦିଅଲୋ ବେଦିକି ଯିବି’। ଏଥିରେ ଏକ ସୁନ୍ଦର ଭୂମିକା ମିଳିଥିଲା ତାଙ୍କୁ। ତାଙ୍କ ଚରିତ୍ର ତଥା ଆଙ୍ଗିକ ଗଠନକୁ ବେଶ୍‌ ସୁହାଉଥିଲା ସେ ଚରିତ୍ର। ବାସ୍‌, ଆଉ ପଛକୁ ଚାହିଁ ନାହାନ୍ତି ସେ। ବାଣେଶ୍ୱରୀ ପରେ ସୋମନାଥ ଅପେରା, ଇଷ୍ଟର୍ନ ଅପେରା, କଳିଙ୍ଗ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ରଙ୍ଗମହଲ ଆଦି ପ୍ରତିଷ୍ଠିତ ଯାତ୍ରାନୁଷ୍ଠାରେ କାମ କରି ସେ ଏବେ ଆସି ପହଞ୍ଚତ୍ଛନ୍ତି ଚଳିତବର୍ଷ ନୂଆକରି ଗଢ଼ି ଉଠିଥିବା ‘ରାଜଧାନୀ ଅପେରା’ରେ। ଇତିମଧ୍ୟରେ ଦୀର୍ଘ ୧୪ବର୍ଷ ବିତିଗଲାଣି ଯାତ୍ରା ଜଗତରେ। ବହୁ ନାଟକରେ ଅଭିନୟ କରି ସେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ କେତୋଟି ହେଉଛି ‘ଭୁଲ ବୁଝିବନି ରହିଲା ରାଣ’, ‘ଝିଅମାନଙ୍କୁ ସଲାମ କର’, ‘ସବୁଦିନେ ସେଇ ଗୋଟିଏ କଥା’, ‘ସତ ସବାରିରେ ମିଛ କନିଆ’, ‘ଗ୍ୟାଙ୍ଗ୍‌ଷ୍ଟର’, ‘ସିନ୍ଦୂର ବିକୁଛି ସୁନ୍ଦରୀ ଝିଅ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ରାଜଧାନୀ ଅପେରା’ରେ ତାଙ୍କର ନାଟକ ମଧ୍ୟରେ ରହିଛି ମୁକ୍ତିକାନ୍ତ ନାୟକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ‘କଳିଯୁଗ କୁନ୍ତି’। ଏଥିରେ ତାଙ୍କୁ ଏକ ଦମ୍‌ଦାର ଭୂମିକା ମିଳିଛି ବୋଲି କୁହନ୍ତି ଏହି ଅଭିନେତା। ସେ ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ଆକାଶଙ୍କ ମତରେ ଦର୍ଶକ ତାଙ୍କୁ ପଜିଟିଭ୍‌ ଚରିତ୍ରରେ ଦେଖିବାକୁ ବେଶି ପସନ୍ଦ କରିଥାନ୍ତି।

Share