ଦରମା ନ ମିଳିବାରୁ ଅଭିନବ ପ୍ରତିବାଦ: କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ

ବାରିପଦା ଅଫିସ,୧୩।୧୧: ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବୁଧବାର ସକାଳେ ପୌର କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦରମା ପ୍ରଦାନ ଦାବିରେ ଏହି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ପୌର ଅଧିକାରୀମାନେ ଘଣାସ୍ଥଳରେ ପହଞ୍ଚି ନ ଥିବାବେଳେ ଏହାର ସମାଧାନ ହୋଇ ପାରିନାହିଁ। ପ୍ରକାଶ ଯେ, ମଙ୍ଗଳବାର ଦରମା ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିବା ପୌର ପରିଷଦର କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ସୂଚନା ମୁତାବକ, ବାରିପଦା ସହରର ସଫେଇ ଦାୟିତ୍ୱ ଉତ୍କଳ ଫ୍ୟାସିଲିଟି ସର୍ଭିସେସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ ପୌର କର୍ତ୍ତୃପକ୍ଷକୁ ପ୍ରଦାନ କରାଯାଇଛି। ତେବେ ସଫେଇ ସଂସ୍ଥା ମାସର ପ୍ରଥମ ସପ୍ତାହରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରିବା କଥା। ହେଲେ ସଂସ୍ଥା ଦୀର୍ଘ ଦିନ ହେବ ଦରମା ପ୍ରଦାନ କରିନାହିଁ।