Categories: ଖେଳ

ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ: ସୁପର ରଗ୍‌ବୀ ମ୍ୟାଚ୍‌ ଦେଖିବେ ୩୫ ହଜାର

ଓ୍ବେଲିଂଟନ,୯।୬(ଏପି) : କୋଭିଡ୍‌-୧୯ ମହାମାରୀ ଉପରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଫଳରେ ଦେଶରେ କ୍ରୀଡ଼ା ଇଭେଣ୍ଟଗୁଡିକ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ମହାମାରୀ ପାଇଁ ଏହି ସୁପର ରଗ୍‌ବୀ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରାଯାଇଥିଲା। ଏବେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଶନିବାର ଆୟୋଜନ ହେବାକୁ ଥିବା ଚିଫ୍ସ ବିପକ୍ଷ ସୁପର ରଗ୍‌ବୀ ଆଓଟିରୋଆ ମ୍ୟାଚ୍‌ରେ ୨୦,୦୦୦ ଦର୍ଶକ ଉପସ୍ଥିତ ରହିବେ ବୋଲି ଡୁନେଡିନ୍‌ ପର୍ଯ୍ୟବସିତ ହାଇଲାଣ୍ଡର୍ସ ଦଳ ଆଶା କରୁଛି। ମହାମାରୀ ପରେ ପ୍ରଥମଥର ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ସାମ୍ନାରେ ରଗ୍‌ବୀ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି।
କରୋନା ଭାଇରସ୍‌ ସଂକ୍ରମଣ ପରେ ସୁପର ରଗ୍‌ବୀ ଆଓଟିରୋଆ ବିଶ୍ୱର ପ୍ରଥମ ମେଜର କ୍ରୀଡ଼ା ଇଭେଣ୍ଟ ଭାବେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପୁଣି ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ନେଇ କୌଣସି ସୀମା ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। ସେହିପରି ରବିବାର ଆୟୋଜନ ହେବାକୁ ଥିବା ଓ୍ବେଲିଂଟନ ସହର ପର୍ଯ୍ୟବସିତ ହରିକେନ୍ସ ବିପକ୍ଷ ମ୍ୟାଚ୍‌ରେ ୩୫,୦୦୦ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିହେବ ବୋଲି ଅକ୍‌ଲାଣ୍ଡ ପର୍ଯ୍ୟବସିତ ବ୍ଲ୍ୟୁଜ୍‌ ଆଶା କରୁଛି। ଏହି ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡର ସବୁ ଦଳ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

ନ୍ୟୁଜିଲାଣ୍ଡରେ ଗତ ୧୮ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଫଳରେ ସରକାର ସବୁ ପ୍ରକାର ନିର୍ଦ୍ଦେଶନାମା ଓ କଟକଣାକୁ ଉଠାଇ ଦେଇଛନ୍ତି ଏବଂ ପୂର୍ଣ୍ଣ ଷ୍ଟାଡିୟମରେ କ୍ରୀଡ଼ା ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। କଟକଣା ଉଠାଇବାର ୨୪ ଘଣ୍ଟ ମଧ୍ୟରେ ରବିବାର ପାଇଁ ୨୦,୦୦୦ ଟିକେଟ ବିକ୍ରି ହୋଇଛି ବୋଲି ବ୍ଲ୍ୟୁ ଚିଫ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ର୍ୟୁ ହୋର କହିଛନ୍ତି। ମ୍ୟାଚ୍‌ ବେଳକୁ ୩୫,୦୦୦ ଟିକେଟ ବିକ୍ରି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟ ମ୍ୟାଚ୍‌ଗୁଡିକ ପାଇଁ ଟିକେଟ ବିକ୍ରି ଚାଲିଛି ଓ ଲୋକେ ମ୍ୟାଚ୍‌ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି।

Share