ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍ ସେହିପରି ଅଭିନୟ କରୁଥିଲେ। ଏହାଦେଖି ତାଙ୍କ ବୁଢ଼ୀମା ଦିନେ କହିଥିଲେ ‘ଏ ଟୋକା ଦିନେ ନାଟୁଆ ହେବ’। ଆଉ ଆଜି ତାହା ସତରେ ପରିଣତ ହୋଇଛି। ସେ ହେଲେ ବର୍ତ୍ତମାନ ଥିଏଟର ଜଗତର ଅନ୍ୟତମ ନାମୀ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ୍ ବିଶ୍ୱାଳ। ୧୯୬୩ ଏପ୍ରିଲ ୩୦ରେ ପୁରୀ ଜିଲା କୋଣାର୍କ ଅନ୍ତର୍ଗତ ଖନ୍ଦୋଳ ଗଁ।ରେ ଜନ୍ମିତ ଏହି ବ୍ୟକ୍ତିତ୍ୱଙ୍କର ପେସାଦାର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୧୯୮୪ରେ। ଦୀର୍ଘ ୨୫ ବର୍ଷର ଅଭିନୟ ଅଭିଜ୍ଞତାକୁ ପାଥେୟ କରି ସେ ୨୦୦୯ରେ ନାଟକ ରଚନା (ନିର୍ଦ୍ଦେଶନା ୨୦୧୪ରୁ) ଆରମ୍ଭ କଲେ। ଏ ସମ୍ପର୍କରେ ସେ କହନ୍ତି, ‘ଅଭିନୟ କରିବା ଭିତରେ ଅନେକ ନାଟକ ଲେଖିଛି, ହେଲେ ତାହା ଏତେ ସହଜ ନ ଥିଲା। ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ‘ପର୍ଶୁରାମ’ ନାଟକରେ ଅଭିନୟ କରିବା ପରେ ଜଣେ ନାଟୁଆ ହେବାର ନିଶା ମୋର ଦ୍ୱିଗୁଣିତ ହୋଇଯାଇଥିଲା। ନାଟକ ରଚନା ପଛରେ ଏକ ମଜାଦାର କାହାଣୀ ରହିଛି। ଥରେ ମୁଁ ରହୁଥିବା ଭୁବନେଶ୍ୱରସ୍ଥ ବୀର ସୁରେନ୍ଦ୍ରସାଏ ନଗରରେ ମୋ ନେତୃତ୍ୱରେ ଏକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ। ଯେହେତୁ ପ୍ରଥମ ଦିନ କୌଣସି ଯାତ୍ରାନୁଷ୍ଠାନ ଆସିଲେ ନାହିଁ ତେଣୁ ମାତ୍ର ୪ ଦିନ ଭିତରେ ମୁଁ ଏକ ୩୦ ପୃଷ୍ଠାବିଶିଷ୍ଟ ନାଟକ ‘ଆଜି ବି ମନେପଡ଼େ’ ଲେଖିଥିଲି ଏବଂ ତାହା ସଫଳତାର ସହ ମଞ୍ଚସ୍ଥ ହୋଇଥିଲା। ଏ ପର୍ଯ୍ୟନ୍ତ ମୁଁ ଲେଖିଥିବା ପ୍ରାୟ ୮୦ଟି ନାଟକରେ ଗୋଟିଏ ହେଲେ ଖଳନାୟକ ଚରିତ୍ର ନାହିଁ। କାରଣ ମୁଁ ସବୁବେଳେ ଦର୍ଶକଙ୍କ ମନର କଥାକୁ ମୋ ନାଟକରେ ପ୍ରତିଫଳିତ କରିଥାଏ। ଜୀବନରେ ଶୃଙ୍ଖଳା, ସିଷ୍ଟତା ମୋତେ ଜଣେ ସଫଳ ନାଟ୍ୟକାର ଭାବେ ଗଢ଼ିତୋଳିଛି।’ ଥିଏଟର ନାଟକର ପ୍ରଚାର ପ୍ରସାର ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୱେତପଦ୍ମା ସାଂସ୍କୃତିକ ପରିବାର, ଭୁବନେଶ୍ୱର ଆଜି ଅନ୍ୟତମ ଥିଏଟର ଅନୁଷ୍ଠାନ ଭାବେ ପରିଚିତ। ଦୀର୍ଘ ୩୫ ବର୍ଷ କଳାକାର ଜୀବନରେ ସୁଖଦୁଃଖଭରା ସ୍ମୃତି ତାଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଆଉ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବାକୁ ଦୃଢ଼ ମନରେ ଆଗେଇ ଚାଲିଛନ୍ତି ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ପ୍ରଦୀପ।