ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା କୁଆଁର ପୁନେଇ ଜହ୍ନଲୋ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୩।୧୦: ଓଡ଼ିଆ ସଂସ୍କୃତି ଓ ପରମ୍ପରା ଲୋପ ପାଇ ଯାଉଥିବା ବେଳେ ଗଞ୍ଜାମର ଗ୍ରାମ୍ୟ କ୍ରୀଡ଼ାକୁ ଲୋକାଭିମୁଖୀ ଉଦ୍ଦେଶ୍ୟ ନେଇ ମଧୁମାୟା ଫାଉଣ୍ଡେସନ ପକ୍ଷରୁ ୧୦ମ କୁଆଁର ପୁନେଇ ଜହ୍ନଲୋ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ କେ ଭି ଆଚାରୀ, ଉତ୍କଳ ସାଂସ୍କୃତିକ ସମାଜ ବିଶାଖାପାଟଣାର ସଭାପତି ଜେକେ ନାୟକ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସୁଦୀପ୍ତା ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ଜଗନ୍ନାଥ ପାଢ଼ୀ ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର କଳାକାରଙ୍କ ଦ୍ବାରା ପରିବେଷିତ ଓଡ଼ିଆ ଗ୍ରାମ୍ୟ ପାରମ୍ପରିକ ସଙ୍ଗୀତ କୁଆଁର ପୁନେଇ ଜହ୍ନଲୋ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।