Advertisement

ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ (ରଚନା-ଅନନ୍ତ ଓଝା, ନିର୍ଦ୍ଦେଶନା-ରମେଶ ମହାନ୍ତି, ସଙ୍ଗୀତ-ମନ୍ମଥ ମିଶ୍ର) କଥା। ଏହାର ଭାଇ ଚିନ୍ମୟ ଜଗଦ୍ଦେବ ଏବଂ ଭଉଣୀ ସସ୍ମିତା ଜଗଦ୍ଦେବ ଓରଫ ମିତା ଚରିତ୍ର ଏବେ ମଧ୍ୟ ଯାତ୍ରାପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ଭାଇ ଭୂମିକାରେ ଲୋକପ୍ରିୟ ଅଭିନେତା କୈଳାସ ବେହେରାଙ୍କୁ ସେତେବେଳେ ଏହି ନାଟକ ରାତାରାତି ଷ୍ଟାର ବନେଇ ଦେଇଥିଲା। ବାକି ରହିଲା ଭଉଣୀ ଭୂମିକାରେ ସୁକାନ୍ତି ପାଢ଼ୀଙ୍କ କଥା। ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡ଼ିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇ ଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ମଞ୍ଚ ଉପରୁ ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡ଼ିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ’, ‘ବାଜି ମାରିଲେ ହାରିବ’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁାରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀର୍ଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।

Share