Categories: ଫୁରସତ

ଦର୍ଶନୀୟସ୍ଥଳୀ: ପବିତ୍ର ତୀର୍ଥଭୂମି ପର୍‌ଭଣୀ

ମହାରାଷ୍ଟ୍ରସ୍ଥିତ ପର୍‌ଭଣୀ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…
ମହାରାଷ୍ଟ୍ରର ପର୍‌ଭଣୀ ଜିଲା ଅନ୍ତର୍ଗତ ଏକ ସହର ହେଉଛି ପର୍‌ଭଣୀ। ଏହା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୪୯୧ କି.ମି ଏବଂ ଔରଙ୍ଗାବାଦ୍‌ଠାରୁ ପ୍ରାୟ ୨୦୦ କି.ମି ଦୂରରେ ଅବସ୍ଥିତ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟସ୍ଥଳୀ। ବିଶେଷକରି ବହୁ ଦେବଦେବୀ ମନ୍ଦିର ବି ଏଠାରେ ରହିଛି, ଯାହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।
ଇତିହାସ

ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ, ପର୍‌ଭଣୀ ବହୁ ବର୍ଷ ଧରି ସୁଲତାନ୍‌, ମୋଗଲ ତଥା ନିଜାମମାନଙ୍କ ଶାସନାଧୀନ ରହିଥିଲା। ଆଉ ସେତେବେଳେ ଏହି ସ୍ଥାନର କୌଣସି ପ୍ରଗତି ହୋଇ ନ ଥିଲା। ହେଲେ ଯେତେବେଳେ ଏହା ମହାରାଷ୍ଟ୍ର ଅନ୍ତର୍ଭୁକ୍ତ ହେଲା, ଏହାର ଉନ୍ନତି ହେବାକୁ ଲାଗିଲା। ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ତଥା ବ୍ୟବସାୟ କ୍ଷେତ୍ରରେ ବି ପର୍‌ଭଣୀର ଧୀରେ ଧୀରେ ନାଁ ହେବାକୁ ଲାଗିଲା।

ନାମକରଣକୁ ନେଇ ଚର୍ଚ୍ଚା
ଅନ୍ୟ ଏକ ସୂତ୍ରରୁ ଜଣାଯାଏ, ପର୍‌ଭଣୀ ପୂର୍ବେ ପ୍ରଭାବତୀ ନଗରୀ ନାମରେ ବେଶ୍‌ ପରିଚିତ ଥିଲା। କାରଣ ସେତେବେଳେ ଦେବୀ ପ୍ରଭାବତୀଙ୍କର ଅନେକ ମନ୍ଦିର ଏଠାରେ ଦେଖିବାକୁ ମିଳୁଥିଲା। ସ୍ଥାନୀୟ ଲୋକେ ଦେବୀ ପ୍ରଭାବତୀ କହିଲେ ମାତା ଲକ୍ଷ୍ମୀ ଓ ମାତା ପାର୍ବତୀଙ୍କୁ ହିଁ ବୁଝୁଥିଲେ। ତେବେ ସମୟକ୍ରମେ ପ୍ରଭାବତୀ ନଗରୀ ଅପଭ୍ରଂଶ ହୋଇ ଲୋକମୁଖରେ ପର୍‌ଭଣୀ ନାମରେ ପରିଚିତ ହେବାକୁ ଲାଗିଲା ବୋଲି ଶୁଣିବାକୁ ମିଳିଥାଏ।

କେବେ ଓ କେମିତି ଯିବେ
ପର୍‌ଭଣୀକୁ ବର୍ଷର ଯେକୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ବୁଲାବୁଲି କରିବା ପାଇଁ ଏଠାକାର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ପର୍‌ଭଣୀ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ଏଠାକାର ନିକଟତମ ରେଳଷ୍ଟେଶନ ହୋଇଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ପରଭଣୀରେ ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେଭରା ପର୍‌ଭଣୀରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟ ସ୍ଥାନ। ଖାସ୍‌ କରି ଏଠାରେ ଅନେକ ଦେବଦେବୀ ମନ୍ଦିର ଦେଖିବାକୁ ମିଳିଥାଏ। ଯେମିତିକି: ଶ୍ରୀ ମୋଟା ମାରୁତି ମନ୍ଦିର, ଶ୍ରୀ ସୁପାରୀ ହନୁମାନ ମନ୍ଦିର, ଜବ୍ରେଶ୍ୱର, ଅଷ୍ଟଭୁଜ ମନ୍ଦିର, ପାରଦେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର, ଶ୍ରୀ ସିଦ୍ଧିବିନାୟକ ଗଣପତି ମନ୍ଦିର, ନାଗରାଜ ମନ୍ଦିର, ମାତା ହିଙ୍ଗୁଳା ଅମ୍ବିକା ମନ୍ଦିର, ମୁଗଲେଶ୍ୱର ମନ୍ଦିର, ପିଙ୍ଗଳେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ପର୍‌ଭଣୀର ଅନ୍ୟତମ ଆକର୍ଷଣ ହେଉଛି ତୁରବୁଲ ହକ୍‌ ଦର୍ଘା। ଏଠାରେ ପ୍ରତିବର୍ଷ ପାଳିତ ହେଉଥିବା ବାର୍ଷିକୋତ୍ସବ ଖୁବ୍‌ ମନମୁଗ୍ଧକର ହୋଇଥାଏ, ଯାହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏସବୁ ବ୍ୟତୀତ ପର୍‌ଭଣୀରେ ଅନେକ ଚର୍ଚ୍ଚ ବି ଦେଖିବାକୁ ମିଳେ।

Share