ଦଳରେ ଫାଟ ଯୋଗୁ ହାରିଲା ପାକିସ୍ତାନ

କରାଚୀ,୧୭।୬(ପି.ଟି.)- ଭାରତୀୟ ଦଳଠାରୁ ଚଳିତ ବିଶ୍ୱକପ୍‌ରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବା ପରେ ପାକିସ୍ତାନ ଦଳରେ ଫାଟ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତଠାରୁ ପରାଜୟ ହଜମ କରିବା ପାକିସ୍ତାନ ଭଳି କ୍ରିକେଟ ପାଗଳ ଦେଶ ଲାଗି କଦାପି ସହଜ ନୁହେଁ। ମାଞ୍ଚେଷ୍ଟରଠାରେ ପରାଜୟର ଗୋଟିଏ ଦିନ ପରେ ଦେଶର ଗଣମାଧ୍ୟମ ଜାତୀୟ ଦଳରେ ଦୁଇଟି ଗ୍ରୁପ୍‌ ବିଭକ୍ତ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ନେଇ ଦଳୀୟ କିଛି ଖେଳାଳି ଖୁସି ନାହାନ୍ତି ଓ ହଟାଇବାକୁ ଚାହୁଁଛନ୍ତି। ‘ସମା’ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସର୍ଫରାଜ ଆଉଟ ହେବା ପରେ ଡ୍ରେସିଂ ରୁମ୍‌ ଫେରିବା ପରେ ଇମାମ ଉଲ ହକ୍‌ ଓ ଇମାଦ ଓ୍ବାସିମ ଗ୍ରୁପ ଗଠନ କରୁଥିବା ଦୋଷାରୋପ କରିଥିଲେ। ସମାନ ରିପୋର୍ଟ ‘ଦୁନିୟା’ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲରେ ମଧ୍ୟ ପ୍ରକାଶ ପାଇଛି। ଦଳରେ ଦୁଇଟି ଗ୍ରୁପ୍‌ ରହିଛି, ଯେଉଁମାନେ ସର୍ଫରାଜଙ୍କୁ ସମର୍ଥନ କରୁନାହାନ୍ତି। ମହମ୍ମଦ ଅମିର ଓ ଇମାଦ ଦୁଇଟି ଗ୍ରୁପ ଗଠନ କରିଛନ୍ତି। କିଛି ଖବରକାଗଜ ଦଳରେ ଆନ୍ତଃ କନ୍ଦଳ ଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ପାକିସ୍ତାନ ଦଳର ଦୁଇ ଖେଳାଳିଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଦଳରେ ଫାଟ୍‌ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

Share