ଦଳିତ ପରିବାରଙ୍କୁ ଗାଁ ରୁ ତଡ଼ିବା ଘଟଣା  ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ ନ ମାନିବାରୁ ପୁରୀ ଜିଲାପାଳଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ନୂଆ ଗାଁର ୪ ଦଳିତ ପରିବାରକୁ ଗ୍ରାମର କେତେଜଣ ଲୋକ ମାଡ଼ ମାରି ତଡ଼ିବା ମାମଲାରେ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଜିଲାପାଳ ନିର୍ଦ୍ଦେଶ ମାନି ନ ଥିବାରୁ କମିଶନ ଏ ନେଇ ଡିସେମ୍ବର ୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଉତ୍ତର ନ ଦେଲେ ବ୍ୟକ୍ତିଗତ ହାଜର ପାଇଁ ସମ୍‌ନ କରାଯିବ ବୋଲି କମିଶନ ଜଣାଇଛନ୍ତି। ସୂଚନା ଅନୁଯାୟୀ, ୨୦୧୮ଜୁଲାଇ ୨୩ରେ ନୂଆ ଗାଁ ରେ ରହୁଥିବା ୪ ଦଳିତ ପରିବାରଙ୍କୁ ମାଡ଼ ମାରି କେତେଜଣ ବ୍ୟକ୍ତି ତଡ଼ି ଦେଇଥିଲେ। ସେମାନଙ୍କ ଘର ଭାଙ୍ଗି ଦେବା ସହ ଲୁଟପାଟ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୧୫/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହେବାରୁ ମାନବିକ ଅଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ସହଯୋଗରେ ୪ ପରିବାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ୍‌ ବସିଥିଲା। ଉକ୍ତ ଦଳିତ ପରିବାରଙ୍କୁ ରହିବା ପାଇଁ ଘର କରି ଦେବା ପାଇଁ କମିଶନ ଗତ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲାପାଳ ତାହାକୁ ପାଳନ କରି ନ ଥିବାରୁ ସେମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି। ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କୁହାଯାଇଛି।