ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୂଚନା ଅନୁସାରେ, ଏକ ଘରୋଇ ବିବାଦକୁ ନେଇ ଦୁଇ ଭାଇଙ୍କର ପକ୍ଷ ଦୁଇ ରାଜନୈତିକ ଦଳର ସମର୍ଥକମାନେ ନେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତୋଟାପଡା ଛକରେ ଥିବା ବିଜେଡି ପତାକାକୁ ପୋଡିବାକୁ ନେଇ ବିଜେଡି ସମର୍ଥକମାନେ ଭାଜପାର ଅସ୍ଥାୟୀ ଦଳୀୟ ଟୁଙ୍ଗୀକୁ ଭାଙ୍ଗି ଦେଇଛନ୍ତି। ସେହିପରି ମହିମାମଣି ମନ୍ଦିର ନିକଟରେ ଥିବା ବିଜେଡିର ଦଳୀୟ ଟୁଙ୍ଗୀକୁ ଭାଜପା ସମର୍ଥକମାନେ ଭାଙ୍ଗି ଦେଇଛନ୍ତି। କେତେକ ବିଜେଡି ସମର୍ଥକ ଅଭିଯୋଗ କରିବାକୁ ଘଣ୍ଟେଶ୍ୱର ଫାଣ୍ଡିକୁ ଯାଇଥିବା ବେଳେ ସେମାନଙ୍କ ଉପରେ ମାଡ଼ ହୋଇଥିବା ନେଇ ଅଭିଯୋଗ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ତୋଟାପଡା ଛକରେ ରାସ୍ତାରୋକୋ କରାଯାଇଥବା ବେଳେ ଭାଜପା ପକ୍ଷରୁ ଘଣ୍ଟେଶ୍ୱର ହାଟ ନିକଟରେ ରାସ୍ତାରୋକୋ ଓ ଧାରଣା ଦିଆଯାଇଥିଲା।  ଭାଜପା ପକ୍ଷରୁ ମାଣିପୁର ଛକରେ ମଧ୍ୟ ରାସ୍ତାରୋକୋ କରାଯାଇଥିଲା। ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ା