Categories: ଖେଳ

ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ

ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗସ୍ତ କରିବେ ନାହିଁ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା। ଏହି କାରଣରୁ ତାଙ୍କ ବଦଳରେ ଲୋକେଶ ରାହୁଲ ଉଇକେଟକିପିଂ କରିଥିଲେ। ତାଙ୍କୁ ଏବେ ମଧ୍ୟ ଡାକ୍ତରଙ୍କ ତଦାରଖରେ ରଖାଯାଇଛି। ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ପନ୍ତ ରାଜକୋଟ ଗସ୍ତ କରିବେ ନାହିଁ। ସେ ପରେ ଦଳରେ ଯୋଗଦେବେ। ସାଧାରଣତଃ ଖେଳାଳିଙ୍କ ହେଲମେଟରେ ବଲ ବାଜିଲେ ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ତଦାରଖରେ ରଖାଯାଏ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ତେବେ ସେ ଦ୍ୱିତୀୟ ଦିନିକିଆ ପାଇଁ ଉପଲବ୍ଧ ହେବେ କି ନାହିଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ଭାରତୀୟ ଇନିଂସର ୪୪ତମ ଓଭରରେ ୨୨ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ହେଲମେଟରେ ପ୍ୟାଟ କୁମିନ୍ସଙ୍କ ବଲ ବାଜିଥିଲା।

Share