Categories: ଖେଳ

ଦଳ ୨୭-୦ ଗୋଲରେ ଜିତିବାରୁ ବିଦା ହେଲେ କୋଚ୍‌

ତୁସକାନି,୧୮।୧୧- ଇଟାଲୀରେ ଶନିବାର ଖେଳାଯାଇଥିବା ୧୮ ବର୍ଷରୁ କମ୍‌ ବୟସ ବର୍ଗର ଏକ ମ୍ୟାଚ୍‌ରେ ୨୭-୦ ଗୋଲର ବୃହତ୍‌ ବ୍ୟବଧାନରେ ଜିତିବା ପରେ ବିଜୟୀ ଦଳର କୋଚ୍‌ଙ୍କୁ ବହିଷ୍କୃତ କରାଯାଇଛି। ପ୍ରତିପକ୍ଷ ଦଳକୁ ଅସମ୍ମାନିତ କରିବା ଉକ୍ତ କୋଚ୍‌ଙ୍କ ଲାଗି ଭାରି ପଡ଼ିଛି। ଇନ୍‌ଭିକ୍ଟାସାଉରୋ ୨୭-୦ ଗୋଲରେ ମାରିନା କାଲସିଓକୁ ହରାଇ ଦେଇଥିଲା। ମ୍ୟାଚ୍‌ ପରେ ପରାସ୍ତ ହୋଇଥିବା କ୍ଲବ କାଲସିଓର ଡିରେକ୍ଟର ତିବେରିଓ ପ୍ରାଟେସି ଇନଭିକ୍ଟାସାଉରୋ ତାଙ୍କ ଦଳକୁ ଅସମ୍ମାନିତ କରିଥିବା ଅଭିଯୋଗ କରିଥିଲେ। ଦଳର ବହୁ ଖେଳାଳି ଆହତ ଥିବାରୁ କାଲସିଓକୁ ଅଣଗୋଲକିପରଙ୍କୁ ଗୋଲପୋଷ୍ଟରେ ମୁତୟନ କରିବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ଇନଭିକ୍ଟାସାଉରୋ ଦଳର ଦୁଇଜଣ ୬ଟି ଲେଖାଏ ଓ ଜଣେ ୭ଟି ଗୋଲ ସ୍କୋର କରିଥିଲେ। ପ୍ରାଟେସିଙ୍କ ଅଭିଯୋଗ ପରେ ଇନଭିକ୍ଟାସାଉରୋ କ୍ଷମାପ୍ରାର୍ଥନା କରିବା ସହ କୋଚ୍‌ ମାସିମିଲିଆନୋ ରିକିନିଙ୍କୁ ମ୍ୟାନେଜର ପଦରୁ ବିଦା କରିଛି। ଏ ଘଟଣା ସମ୍ପର୍କରେ ଇନଭିକ୍ଟାସାଉରୋ କ୍ଲବର ସଭାପତି ପାଓଲୋ ବ୍ରୋଗେଲି କହିଛନ୍ତି, ପ୍ରତିପକ୍ଷ ଦଳକୁ ସର୍ବଦା ସମ୍ମାନ ଦେବା ଉଚିତ, ଯାହାକି ଏହି ମ୍ୟାଚ୍‌ରେ ଘଟି ନ ଥିଲା। ସଭାପତି ଭାବେ ମୁଁ ଏଥିନେଇ କ୍ଷମା ପ୍ରାର୍ଥନା କରୁଛି। ଏଥିସହିତ କ୍ଲବ କୋଚ୍‌ଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଆମ କୋଚ୍‌ଙ୍କ ଦାୟିତ୍ୱ ଖେଳାଳିଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କୁ ଶିକ୍ଷିତ କରାଇବା।

Share