ଦଶଗୁଣା ବଢ଼ିଛି ନଂ.୧୦୪କୁ କଲ୍‌: ୪୮ଘଣ୍ଟାରେ ୨୧୩୧ ପଞ୍ଜୀକୃତ, ଖୋର୍ଦ୍ଧା ଜିଲାର ସର୍ବାଧିକ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ଭୂତାଣୁ(କୋଭିଡ-୧୯)ର ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟହ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ନିମ୍ନଲିଖିତ ବିଷୟରେ ସୂଚନା ଦେଇଛନ୍ତି।

ବାଗ୍‌ଚୀ କହିଛନ୍ତି, ମଙ୍ଗଳବାର ୧୬୨ଦେଶ କରୋନାରେ ପ୍ରଭାବିତ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ୧୬୭ରେ ପହଞ୍ଚିଛି। ଭାରତରେ ୧୨୬ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଏହା ୧୪୮ ହୋଇଛି। ମୋଟ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜ୍ୟରେ ଏଯାବତ ୪୭ଜଣଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ଜଣଙ୍କ ନେଗେଟିଭ୍‌ ଆସିଛି। ବୁଧବାର ପଠାଯାଇଥିବା ୧୨ଟି ନମୁନା ନେଗେଟିଭ୍‌ ବାହାରିଛି। ପୁଣି ଆଉ୬ଟି ପଠାଯାଇଛି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନଂ-୧୦୪କୁ ୨୪ଘଣ୍ଟାରେ ୫୨୦୨ଟି କଲ୍‌ ଆସିଛି। ସାଧାରଣ ଦିନରେ ୫ଶହ କଲ୍‌ ଆସୁଥିବା ବେଳେ ଏବେ ଏହା ଦଶଗୁଣା ବଢ଼ିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପ୍ରତି ଘଣ୍ଟାରେ ୮୦ଜଣ ରେଜିଷ୍ଟ୍ରେଶନ କରୁଛନ୍ତି। ଏହାମଧ୍ୟରେ ମୋଟ ୨୧୩୧ଜଣ ରେଜିଷ୍ଟ୍ରେଶନ କରିଛନ୍ତି। ସେଥିରୁ ୟୁଏଇ(୨୦%), ୟୁଏସ୍‌ଏ(୯%), ସାଉଦି ଆରବିଆ(୫%), ୟୁକେ(୪%)ରୁ ଥିବା ବେଳେ ଚାଇନାରୁ କେହି ନାହାନ୍ତି। ସେହିଭଳି ଅନ୍ୟ ସଂକ୍ରମିତ ଦେଶରୁ ସେତେଟା ଆସି ନ ଥିବା ଦେଖାଯାଇଛି।

ରେଜିଷ୍ଟ୍ରେଶନ କରିଥିବା ୨୧୩୧ଜଣ ୮୦ ଦେଶରୁ ଆସିଛନ୍ତି। ଲୋକମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାର ସବୁଠୁ ଅଧିକ ଲୋକ ରହିଥିବା ବେଳେ କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱରର ଅଧିକ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ମାଲକାନାଗିରିର କେହି ନାହାନ୍ତି। ଏହାଛଡ଼ା ବିଶେଷ ପ୍ରଭାବିତ ହେଉଥିବା ୬୦ ବର୍ଷ ବୟସରୁ ଅଧିକ ୯୭ଜଣ, ୮୦ରୁ ୧୦୦ ବର୍ଷର ଜଣେ ଅଛନ୍ତି। ଅନ୍ୟ ସମସ୍ତେ ୬୦ବର୍ଷରୁ କମ୍‌ ରହିଥିବା ବାଗ୍‌ଚୀ କହିଛନ୍ତି।

Share