Categories: ଖେଳ

ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ କୋହଲି, ବୁମ୍‌ରା

ଲଣ୍ଡନ, ୩୦।୧୨(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଅନ୍ୟ କୌଣସି ଭାରତୀୟ ଖେଳାଳି ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ଏହି ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଅନ୍ୟ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଶେନ ଓ୍ବାଟସନ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦୁଇ ଇଂଲଣ୍ଡ କ୍ରିକେଟର ଜୋସ ବଟଲର ଓ ଡେଭିଡ ଓ୍ବିଲି , ଦୁଇ ଆଫଗାନିସ୍ତାନ ଅଲ୍‌ରାଉଣ୍ଡର ମହମ୍ମଦ ନବୀ ଓ ରସିଦ ଖାଁ, ନ୍ୟୁଜିଲାଣ୍ଡର କଲିନ ମୁନରୋ ଓ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ କୋହଲି ଅସାଧାରଣ ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବିସଡେନ ତରଫରୁ କୁହାଯାଇଛି। କୋହଲିଙ୍କ ହାରାହାରି ରନ୍‌ ସଂଗ୍ରହ ୫୩ ରହିଛି। ଉଭୟ ପେସ୍‌ ଓ ସ୍ପିନ୍‌ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଆସିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସେ ୩ ନମ୍ବରରେ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବା ସହ ଏକାଧିକ ବାର ଦଳକୁ ଜିତାଇଛନ୍ତି ବୋଲି ଓ୍ବିସଡେନ ଓ୍ବେବସାଇଟ୍‌ ତରଫରୁ କୁହାଯାଇଛି। କୋହଲି ମଧ୍ୟ ଦଶନ୍ଧିର ଓ୍ବିସ୍‌ଡନ ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଷ୍ଟିଭ୍‌ ସ୍ମିଥ୍‌, ଡେଲ ଷ୍ଟେଇନ, ଏବି ଡିଭିଲର୍ସ ଓ ଏଲିସ ପେରୀ ସ୍ଥାନ ପାଇଛନ୍ତି।
ସେହିପରି ଯଶପ୍ରୀତ ବୁମ୍‌ରା ମଧ୍ୟ ଦ୍ରୁତ ବୋଲିଂରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଟି୨୦ରେ ୫୧ଟି ଉଇକେଟ ନେବା ସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୨୧୬ଟି ଉଇକେଟ ଅକ୍ତିଆର କରିଛନ୍ତି ବୋଲି ଓ୍ବିସ୍‌ଡନ ତରଫରୁ କୁହାଯାଇଛି। ତେବେ ୨୦୦୭ରେ ନେତୃତ୍ୱ ନେଇ ଭାରତକୁ ପ୍ରଥମ ଟି୨୦ ବିଶ୍ୱକପ୍‌ରେ ଚାମ୍ପିୟନ କରାଇଥିବା ଧୋନୀଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ।
ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), କଳିନ ମୁନରୋ, ବିରାଟ କୋହଲି, ଶେନ ଓ୍ବାଟସନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜୋସ ବଟଲର, ମହମ୍ମଦ ନବୀ, ଡେଭିଡ ଓ୍ବିଲି, ରସିଦ ଖାଁ, ଯଶପ୍ରୀତ ବୁମ୍‌ରା ଓ ଲାସିଥ ମାଲିଙ୍ଗା।

Share