ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା:୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧:ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଉଭୟଙ୍କୁ ୫୭ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୬ ମାସ ଜେଲ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଆଦାୟ ଟଙ୍କା ପୀଡ଼ିତାଙ୍କୁ ଦିଆଯିବ ବୋଲି ଅଦାଲତ କହିଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ବାଲିଗୁଡା ଥାନା ସିନ୍ଧିରିଗାଁ ପଞ୍ଚାୟତ ପାସେରିପଡ଼ାର ଅରୁଣ ସାହୁ ଓ ଖଜୁରିନାଳ ପାଖ ଡୁମୁଡ଼ିସାହିର ରଞ୍ଜିତ ସାହୁ।
୨୦୧୬ ଡିସେମ୍ବର ୨୨ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ଘର ପାଖରେ ବୁଲୁଥିଲେ। ଏହି ସମୟରେ ଅରୁଣ ଏବଂ ରଞ୍ଜିତ ଏକ ବାଇକରେ ଆସି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଛାତ୍ରୀ ଜଣକ ପାଟି କରିବାରୁ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ। ବାଟରେ ସେମାନେ ତାଙ୍କର ଜଣାଶୁଣା ଅରୁଣ ନାୟକଙ୍କୁ ପଛରେ ଆସିବାକୁ କହିଥିଲେ। କିଛି ବାଟ ଯିବା ପରେ ଅରୁଣ ଏବଂ ରଞ୍ଜିତ ଛାତ୍ରୀଙ୍କୁ ବାଇକ୍‌ରୁ ଓହ୍ଳାଇ ଏକ କାର୍‌ରେ ଅଳ୍ପ ଦୂର ନେଇଯାଇ ଏକ ଜଙ୍ଗଲରେ ବଳାତ୍କାର କରିଥିଲେ। ଏହାପରେ ସେମାନେ ପଥରରେ ଛାତ୍ରୀଙ୍କ ମୁହଁକୁ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଅରୁଣ ସେଠାରେ ପହଞ୍ଚି ଯାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ମରି ଯାଇଥିବା ଭାବି ଦୋଷୀ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ସେହି ବାଟ ଦେଇ ଆସୁଥିବା କେତେଜଣ ଲୋକ ପୀଡ଼ିତା ଓ ଅରୁଣଙ୍କ ପାଟି ଶୁଣି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଘଟଣା ପରଦିନ ଅର୍ଥାତ ୨୩ ତାରିଖରେ ଏହି ଖବରପାଇ ମେଡିକାଲରେ ପହଞ୍ଚିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୀଡ଼ିତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା। ସେଠାରେ ତାଙ୍କର ଚେତା ଫେରିବା ପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ। ଏ ନେଇ ପୀଡ଼ିତାଙ୍କ ମା’ ୨୪ ତାରିଖରେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୮୭/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା। ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ, ଛାତ୍ରୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Share