ଦଶରଥପୁର ବିଡିଓଙ୍କ ନାମରେ ମାମଲା ରୁଜୁ

ଯାଜପୁର ଅଫିସ,୭।୨: ଯାଜପୁର ଜିଲା ଦଶରଥପୁର ବ୍ଲକରେ ଗତ ୧ ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ମଙ୍ଗଳପୁର ପୋଲିସ ଉଭୟପକ୍ଷଙ୍କ ଅଭିଯୋଗ ଉପରେ ୨ଟି ମାମଲା ରୁଜୁ କରିଛି। ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଆଶୁତୋଷ ପାଣିଗ୍ରାହୀଙ୍କ ନାମରେ ଆଇପିସି ଦଫା ୫୦୬, ୧୮୬,୩୪୧,୨୯୪ରେ ଏକ ମାମଲା(ନଂ. ୪୬/୨୦) ରୁଜୁ ହୋଇଛି। ସେହିପରି ଆଶୁତୋଷଙ୍କ ଅଭିଯୋଗକୁ ଭିତ୍ତିକରି ବିଡିଓ ନାୟକଙ୍କ ନାମରେ ଆଇପିସି ଦଫା ୩୪୧,୨୯୪,୩୨୩,୫୦୬ରେ ପୋଲିସ ଏକ ମାମଲା(ନଂ. ୪୮/୨୦) ରୁଜୁ କରିଛି। ପ୍ରକାଶ ଯେ, ଗତ ୧ ତାରିଖରେ ଦଶରଥପୁର ଗ୍ରାମର ଆଶୁତୋଷ, ଓଡେଇ ଗ୍ରାମର ବିଜୟ କୁମାର ମଲ୍ଲିକ ଓ କଣ୍ଟପଡା ଗ୍ରାମର ଶ୍ରୀନିବାସ ରାଉତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍‌ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ବିଡିଓଙ୍କ ନିକଟକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ଉଭୟପକ୍ଷଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ।