ଦସ୍ତଖତ ନେଇ ଅଢ଼େଇ କୋଟି ଟଙ୍କା ଋଣ ଉଠାଣ

ବଇଣ୍ଡା,୨୫ା୧(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଧଣ୍ଡାତୋପା, ଆରମପୁର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ ଓଡ଼ିଶା ଗ୍ରାମ ବ୍ୟାଙ୍କ ଶାଖାରୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ୮ ବର୍ଷ ତଳେ ଏହି ଋଣ କରାଯାଇଥିବାବେଳେ ପରିଶୋଧ କରିବା ପାଇଁ କିଛିଦିନ ତଳେ ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କୁ ନୋଟିସ ଦିଆଯାଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।
ଅଲେଖପୁର ଗ୍ରାମର ଚାଷୀ ସୌରା ପ୍ରଧାନ, ଉଦ୍ଧବ ସାହୁ, ଯାଦବ ସାହୁ, କୈଳାସ ପ୍ରଧାନ, ଅମାସମା ଗ୍ରାମର ରବି ପ୍ରଧାନ, ରମେଶ ନାୟକ, ଜନକ ପ୍ରଧାନଙ୍କ ଅଭିଯୋଗ କରିଛନ୍ତି ଯେ, ୨୦୧୨ରେ କିଶାନ କ୍ରେଡିଟ କାର୍ଡ ଯୋଗେ ପୁରୁଣାପାଣି ଗ୍ରାମର ଜନୈକ ବ୍ୟକ୍ତି ଋଣ କରାଇଦେବା ପାଇଁ କହି ଏକ ଫର୍ମରେ ଦସ୍ତଖତ ନେଇଥିଲେ। ପରେ ଯେଉଁ ସ୍କିମରେ ସରକାର ଋଣ ଦେବା କଥା ସେହି ସ୍କିମ ବନ୍ଦ କରି ଦିଆଯାଇଛି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ। ହେଲେ କିଛିମାସ ହେବ ପ୍ରତ୍ୟେକ ଚାଷୀଙ୍କ ନାମରେ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଶୁଝିବା ପାଇଁ ନୋଟିସ ଦିଆଯାଇଛି। ଉକ୍ତ ନୋଟିସ ପାଇବା ପରେ ଚାଷୀମାନେ ଶାଖା ପରିଚାଳକ ଓ ଦସ୍ତଖତ ନେଇଥିବା ବ୍ୟକ୍ତିଙ୍କ ଦ୍ୱାରସ୍ଥ ହୋଇଥିଲେ। ଶାଖା ପରିଚାଳକ ଚାଷୀମାନଙ୍କୁ ସେମାନଙ୍କ ନାଁରେ ଋଣ ନିଆଯାଇଛି କହି ପରିଶୋଧ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ। ପରେ ଚାଷୀମାନେ ଦସ୍ତଖତ ନେଇଥିବା ଯୁବକଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହି ନୋଟିସ କିଛି ନୁହେଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ତୁରନ୍ତ ଏହାର ତଦନ୍ତ କରି ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଶାଖା ପରିଚାଳକ ଜିତେନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ କୁହନ୍ତି, ଋଣ କରିବା ଠକେଇ ଅଭିଯୋଗ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ପରେ ତଦନ୍ତ କରାଯିବ।

Share